ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାର ଯୋଗ୍ୟ ହିତାଧିକାରୀ ଦେଡ ବର୍ଷ ହେବ ଭତା ପାଇବାକୁ ଅନେଇ ବସିଛନ୍ତି। ୨୦୨୪ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ପରଠାରୁ ଏପର୍ଯ୍ୟନ୍ତ ୨ ହଜାର ୭୮୬ ଜଣ ଭତା ପାଇଁ ଆବେଦନ କରିଛନ୍ତି। ହେଲେ ଟାର୍ଗେଟ ଫିଲପ ଥିବାରୁ ଓ ନୂଆ ଟାର୍ଗେଟ ଆସି ନଥିବାରୁ ଏମାନଙ୍କ ଆବେଦନକୁ ମଞ୍ଜୁର କରାଯାଉନଥିବା ସୂଚନା ଦିଆଯାଇଛି। ଏ ସଂପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଯାଇଛି। ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆସିଲେ ପୁଣି ଭତା ମଞ୍ଜୁର କରାଯିବ ବୋଲି ଧାମନଗର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯଶୋଦା ସାହୁ କହିଛନ୍ତି। ଧାମନଗର ବ୍ଲକରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟକ୍ତା ଓ ତୃତୀୟ ଲିଙ୍ଗ ଭତା ହିତାଧିକାରୀ ଏବେ ୨୬ ହଜାର ୪୬୫ ଜଣ ଅଛନ୍ତି। ଏମାନଙ୍କୁ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ଯୋଜନାର ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ଭାଗ କରି ଭତା ପ୍ରଦାନ କରାଯାଉଛି। ଜାତୀୟ ଯୋଜନାରେ ୧୭୧୭୯ ଓ ମଧୁ ବାବୁ ଯୋଜନାରେ ୯୨୮୬ ଜଣ ହିତାଧିକାରୀ ଅଛନ୍ତି। ସରକାରଙ୍କ ନିୟମ ଅନୁସାରେ ୬୦ ବର୍ଷ ପରେ ଯୋଗ୍ଯ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା ମିଳିବା କଥା। ସେହିପରି ୮୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ଭିନ୍ନକ୍ଷମ ଭତା ମିଳିବ। ସେହିପରି ଗରିବ ଶ୍ରେଣୀର ସ୍ୱାମୀ ପରିତ୍ୟକ୍ତାଙ୍କୁ ଭତା ମିଳିବ। ଏଥିପାଇଁ ପ୍ରତି ପଂଚାୟତରୁ ପାଖାପାଖି ୧୦୦ ଲେଖାଏଁ ହିତାଧିକାରୀ ଦେଢ଼ବର୍ଷ ହେଲା ଆବେଦନ କରିଛନ୍ତି। ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ଏହିସବୁ ଆବେଦନ ପଡ଼ି ରହିଥିଲା। ସରକାର ବଦଳି ନୂଆ ସରକାର ଆସିବା ପରେ ଆହୁରି ଆବେଦନ ମଧ୍ୟ ହେଲା। ହେଲେ ପଂଚାୟତୱାରୀ ବହୁ ଅଧିକ ଲୋକ ଭତା ନେଉଥିବାରୁ ଆଉ ନୂଆ ହିତାଧିକାରୀଙ୍କୁ ଭତା ମିଳି ପାରୁନାହିଁ। ତେବେ ସରକାରୀ ଦଳର କର୍ମୀ ଓ ନେତାଙ୍କ ଚାପରେ କିଛି ଲୋକଙ୍କୁ ଯୋଡ଼ା ଯାଉଛି। ତାହା ପୁଣି ଜଣକ ବଦଳରେ ଜଣକର। ପଂଚାୟତରେ ଭତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ି ଦିଆଯାଉଛି। ଏଣୁ ଖୁବଶୀଘ୍ର ଟାର୍ଗେଟ ମଞ୍ଜୁର କରିବାକୁ ଅପେକ୍ଷାରତ ହିତାଧିକାରୀ ଦାବି କରିଛନ୍ତି।ଅପର ପକ୍ଷେ ଅନେ ନିଜ ର ବୟସ କୁ ବଡ଼ାଇ ଭତା ପାଇବା ପାଇଁ ମଧ୍ୟ ଆବେଦନ କରୁଛନ୍ତି ସେ ଦିଗରେ ମଧ୍ୟ ତଦନ୍ତ କରିବାକୁ ଦାବି ହେଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ