କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର(ହି.ସ.) – ଜାତୀୟ ସେବା ଯୋଜନା ଯୁବ ବିକାଶର ପ୍ରୟୋଗଶାଳା ହେଉ, ସମାଜ ସେବା ଜରିଆରେ ଛାତ୍ରଛାତ୍ରୀମାନେ ନିଜ ବ୍ୟକ୍ତିତ୍ୱର ବିକାଶ କରନ୍ତୁ, ଛାତ୍ରଛାତ୍ରୀ ପାଠ ପଢିବା ସହ ସମାଜ ପରିବର୍ତନର ବାହକ ହୋଇ ଆଲୋକ ପ୍ରଦାନ କରିବାକୁ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଆୟୋଜିତ ୩ଦିନିଆ କର୍ମଶାଳାରେ ଅଧ୍ୟକ୍ଷ ଡ଼.ରବୀନ୍ଦ୍ର କୁମାର ବଳ ଆହ୍ୱାନ ଦେଇଛନ୍ତି। ଜାତୀୟ ସେବା ଯୋଜନା ଜରିଆରେ ଛାତ୍ର ବିକାଶ, ସମାଜ ବିକାଶ ଓ ଦେଶ ବିକାଶ କରିବାରେ ଛାତ୍ରଛାତ୍ରୀ ସହାୟକ ହୋଇଥାନ୍ତି। ଶିକ୍ଷା ଓ ସେବା, ତତ୍ୱ ଓ ପ୍ରୟୋଗ, ଶିକ୍ଷାନୁଷ୍ଠାନ ଓ ଜନଗୋଷ୍ଠୀ, ସମସ୍ୟା ଓ ସମାଧାନ, ମାନ ଓ ମୂଲ୍ୟବୋଧ, ଏକତା ଓ ବିବିଧତା ସର୍ବୋପରି ବ୍ୟକ୍ତିବାଦ ଓ ରାଷ୍ଟ୍ରବାଦ ମଧ୍ୟରେ ଏନ୍.ଏସ୍.ଏସ୍. ଯେ ଏକ ସଂଯୋଗ ସେତୁର ଭୂମିକା ନିର୍ବାହ କରିଥାଏ ସେନେଇ ଆଲୋଚନା କରାଯାଇଥାଏ। ନିଜ ଶିକ୍ଷାନୁଷ୍ଠାନ ପରିସରର ସ୍ୱଚ୍ଛତା, ସବୁଜିମା ଓ ସୌନ୍ଦର୍ଯ୍ୟକରଣ ସହିତ ସମୟାନୁବର୍ତିତା ହେବାକୁ କର୍ମଶାଳାରେ ଆହ୍ୱାନ ଦିଆଯାଇଛି। ଆଜିର ଛାତ୍ରଛାତ୍ରୀ ନୂତନ ସମାଜ ଗଠନରେ ସହାୟକ ହୋଇ କେତେବେଳେ ରକ୍ତଦାନ କରି ତ କେତେବେଳେ ଚାରାରୋପଣ କରି, କେତେବେଳେ ନିଶା ଓ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରି ତ, ଆଉ କେତେବେଳେ ସଡ଼କ ନିରାପତା ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଯୋଗାଇ ପ୍ରକୃତ ସମାଜସେବୀର ପରିଚୟ ସୃଷ୍ଟି କରୁଛନ୍ତି। ଏହାଛଡ଼ା କମ୍ପ୍ୟୁଟର ସାକ୍ଷରତା, ସାଇବର ଅପରାଧ, ସାମାଜିକ ଗଣମାଧ୍ୟମର ସଦୁପଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇନ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି ବୋଲି କାର୍ମଶାଳାରେ ଆଲୋଚନା ହୋଇଛି। ଆଜିର ଯୁବପୀଢ଼ି ସମାଜସେବା ପ୍ରତି ସକାରାତ୍ମକ ମନୋଭାବ ପୋଷଣ କଲେ ‘ଛାତ୍ରଶକ୍ତି ଯେ ରାଷ୍ଟ୍ରଶକ୍ତି’ ପରିଣତି ନିଶ୍ଚିତ ହେବ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି