ସମ୍ବଲପୁର, ୨୪ ସେପ୍ଟେମ୍ବର (ହି.ସ.) ସମଗ୍ର ସମ୍ବଲପୁର ଜିଲ୍ଲାରେ ଗତ ୪ ଧରି ହୋଇଥିବା ଲଗାଣ ବର୍ଷାରେ ଜନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ପାଣିପାଗ କାର୍ଯ୍ୟାଳୟ ସୂତ୍ରାନୁଯାୟୀ ସମଗ୍ର ଜିଲ୍ଲାରେ ୧୦୭.୬୯ ଅନୁପାତରେ ମୋଟ ୧୧୮୪.୬ ମି.ମି ବର୍ଷା ହୋଇଛି । ଗତ ୪ ଦିନର ବର୍ଷା ୨୪ ତାରିଖ ସୁଦ୍ଧା ଯୁଯୋମରାରେ ୭୬. ୮, ଧନକଉଡ଼ାରେ ୧୭୮. ୨, ରେଙ୍ଗାଲିରେ ୨୫୦. ୬, ମାନେଶ୍ୱରରେ ୧୫୫. ୬, କୁଚିଣ୍ଡାରେ ୬୦. ୨, ଜମନକିରାରେ ୫୫. ୬, ବାମରାରେ ୫୦. ୪, ରେଢ଼ାଖୋଲରେ ୭୨, ନାକଟିଦେଉଳରେ ୧୭, ସମ୍ବଲପୁରର ମହାନଗର ନିଗମ ଅନ୍ତର୍ଗତ ଦୁର୍ଗାପାଲିରେ ୧୮୦ ମି.ମି ବର୍ଷା ହୋଇଥିବା ବେଳେ ଠେମରାରେ ୮୮. ୨ ମି.ମି ରେକର୍ଡ କରାଯାଇଛି । ଚଳିତ ବର୍ଷ ବର୍ଷାର ପରିମାଣକୁ ନେଇ ସହର ସମେତ ଜିଲ୍ଲାରେ ଜଳ ନିଷ୍କାସନର ବ୍ୟବସ୍ଥା ସେପରି ଆଖିଦୃଶିଆ ନଥିବାରୁ ବିଭିନ୍ନ ଅଂଚଳ ବନ୍ୟାର ଭ୍ରମ ସୃଷ୍ଟି କରିଛି । ଉଦବେଗର ବିଷୟ ଏହି ଭ୍ରମ ସମ୍ବଲପୁର ସହରାଂଚଳରେ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ବର୍ଷବର୍ଷ ଧରି ମହାନଗର ନିଗମ ଜଳ ନିଷ୍କାସନ ପାଇଁ କରୁଥିଲା କ'ଣ ତାହା ଏବେ ସହରବାସୀଙ୍କ ପକ୍ଷରୁ ମୁଖ୍ୟପ୍ରଶ୍ନ ହୋଇଛି । ସମ୍ବଲପୁର ସହରର ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚତାରେ ବର୍ଷା ପାଣି ଜମି ରହିବା ଫଳରେ କେତେକ ସ୍ଥାନରେ ନଳା ନର୍ଦ୍ଦମା ସହ ବର୍ଷାପାଣି ମୁଖ୍ୟ ରାସ୍ତାରେ ମଧ୍ୟ ଢେଉ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ନିକଟରେ ଏହି ସମସ୍ୟା ନେଇ ବିଭିନ୍ନ ମହଲରୁ ତୁହାକୁ ତୁହା ଅଭିଯୋଗ ହେବା ପରେ ଆଜି ଜିଲ୍ଲାପାଳ ବାଧ୍ୟ ହୋଇ ସହରର ଜଳବନ୍ଦୀ ଅଂଚଳ ପରିଦର୍ଶନ କରି ବିହିତ ପଦକ୍ଷେପ ନେବାପାଇଁ କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବର୍ତମାନର ବର୍ଷାପାଣି ଯୋଗୁଁ ଅନେକଙ୍କ ଘରେ ଚୁଲି ଜଳୁନଥିବା ବେଳେ ବହୁ ସ୍ଥାନରେ ଗାଡି ମୋଟର ବୁଡି ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ମହାନଗର ନିଗମ ଅଂଚଳର ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ସାକ୍ଷୀପଡ଼ାରୁ ଜଗନ୍ନାଥ କଲୋନୀକୁ ସଂଯୋଗ କରୁଥିବା ଅଣ୍ଡରପାସ୍ରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗି ରହେ ତେବେ ବିଭିନ୍ନ ଅଂଚଳର ଲୋକଙ୍କ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଂଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କମିଶନର କଲୋନୀ, ଦାନିପାଳି, ହାଉସିଙ୍ଗ ବୋର୍ଡ କଲୋନି, ହୀରାକୁଦ କଲୋନି, ସାରସ୍ୱତ ଗଳି, ଚାରଭାଟି, କଲ୍ୟାଣ ନଗର, ସାକ୍ଷୀପଡା, ଭତରା, କ୍ଷେତରାଜପୁର, ରେଲୱେ ଷ୍ଟେସନ, ଗୋପାଳମାଳ, ଶାନ୍ତିନଗର, ଫାଟକ, ମାଳିପଡା, କମିଶନର କଲୋନି ପମ୍ପ ହାଉସ, ପୁଟିବନ୍ଧ ଓ ଏନଏସସିବି କଲେଜ ନିକଟସ୍ଥ ପିଲା କନ୍ଦାଇପଡା ଭଳି ବିଭିନ୍ନ ଅଂଚଳରେ ତ୍ୱରିତ ପ୍ରୟୋଜନୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ସୂଚନାନୁଯାୟୀ ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ଷମତା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦର ୧୬ ଗେଟ୍ ଦ୍ୱାରା ବର୍ତମାନ ଜଳ ନିଷ୍କାସନ କରାଯାଉଛି। ଅପରପକ୍ଷେ ସହରରେ ଢେଉ ଭାଙ୍ଗୁଥିବା ବର୍ଷାପାଣି ମହାନଦୀରେ ମିଶି ଯାଉଥିଲେ ସମ୍ବଲପୁର ସହର ପାଇଁ କୌଣସି ଭୟ ବା ଆଶଙ୍କା କରିବାର କାରଣ ନଥିଲା । ମାତ୍ର ସହରରେ ଜଳନିଷ୍କାସନ ବ୍ୟବସ୍ଥା ମୃତାବସ୍ଥାରେ ଥିବାରୁ ବର୍ତମାନର ଲଗାଣ ବର୍ଷାପାଣି ତଳ ମୁଣ୍ଡକୁ ତଥା ମହାନଦୀ ମୁହାଁଣକୁ ଯାଇ ପାରୁନନାହିଁ, ଯଦ୍ୱାରା ସହରରେ ଏଭଳି କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରାଇଛି । ଆଜି ଦିନ ୧୨ ଟା ପରେ ସମଗ୍ର ଜିଲ୍ଲାରେ ବର୍ଷା ପ୍ରଭାବ କମି ଯିବା ସହ ପାଗ ଶୁଖିଲା ପଡିଥିବାରୁ ଲୋକଙ୍କ ମହଲରେ ଟିକିଏ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ମାତ୍ର ଅପରାହ୍ନ ୩.୩୬ ମିନିଟ ପରେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ସହରବାସୀ ଏବେ ଆତଙ୍କରେ ରହିଛନ୍ତି। ଅନ୍ୟପଟେ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଲଘୁଚାପ ଫଳରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ ପାଣିପାଗ ବିଭାଗ କରିଥିବାରୁ ଯଦି ବର୍ଷା ଲାଗିରହେ ତେବେ ଏହାର ପ୍ରଭାବ ସୁଦୂରପ୍ରସାରି ହେବାରେ ମଧ୍ୟ ଆଶଙ୍କା ରହିଛି। ଉପର ମୁଣ୍ଡରେ ଯଦି ଅଧିକ ବର୍ଷା ହୁଏ ତେବେ ହୀରାକୁଦ ନଦୀବନ୍ଧର ୧୬ଟି ସୁଇଜ ଗେଟରୁ ବର୍ତମାନ ଜଳ ନିଷ୍କାସନ ହେଉଥିବା ବେଳେ ତାହା ଆଗକୁ ବଢ଼ିବା ମଧ୍ୟ ସମ୍ଭାବନା ରହିଛି। ଜିଲ୍ଲାପାଳ ଆଜି ବିଭିନ୍ନ ସହରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ପ୍ରପୀଡିତ ଲୋକଙ୍କ ପାଇଁ ଗୋଟିଏ ଅସ୍ଥାୟୀ ରିଲିଫ୍ କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ସହରର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ ଏବେ ବିଭିନ୍ନ ମହଲରୁ ଉଠିବା ପରେ ମହାନଗର ନିଗମର କାର?୍ୟ୍ୟଦକ୍ଷତା ନେଇ ଭିନ୍ନ ମତ ପ୍ରକାଶ ପାଇଛି ।
ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଜି ସମ୍ବଲପୁର ଅଂଚଳର -ହାଉସିଂ ବୋର୍ଡ କଲୋନୀ, ଗୋପାଲମାଲ ଶାନ୍ତିନଗର, ଫାଟକ ମାଲିପଡା, ପୁଟିବନ୍ଧ ଆଦି ବନ୍ୟା ପ୍ରଭାବିତ ଅଂଚଳକୁ ଯାଇ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କୁ ଉଚିତ ପଦକ୍ଷେପ ନେବାକୁ କହିଛନ୍ତି। ବିଶେଷ କରି ବନ୍ୟାଜଳ ଜମା ହେବାକୁ ନଦେଇ ନିଷ୍କାସନ ବ୍ୟବସ୍ଥା ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟଗୃହରେ ବ୍ୟବସ୍ଥା ଓ ଆବଶ୍ୟକୀୟ ସାଧନ ଓ ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ ତାଗିଦ୍ କରିଛନ୍ତି । ଜିଲ୍ଲାପାଳ ଓ ସମ୍ବଲପୁର ମହାନଗର ନିଗମ କମିଶନର ବନ୍ୟା ଅଂଚଳ ପରିଦର୍ଶନ କରି ସମସ୍ୟା ଟାଳିବାକୁ ଆପ୍ରାଣ ପ୍ରୟାସ ଜାରି ରଖିଛନ୍ତି। ପ୍ରଶାସନ ସହିତ ଅଗ୍ନିଶମ ବିଭାଗ ଓ ଓଡ୍ରାପ୍ଟ ଟିମ୍ ନିଜର ପାରଦର୍ଶିତା ଦେଖାଇବା ପାଇଁ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ