ସମ୍ବଲପୁର, ୨୪ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶାଖା ଆନୁକୂଲ୍ୟରେ ଏନ୍ଏସ୍ଏସ୍ ପ୍ରତିଷ୍ଠା ଦିବସ ମହାସମାରୋହରେ ବୃକ୍ଷରୋପଣ ସହ ବିବିଧ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ଗୋଷ୍ଠୀ ସେବା ମାଧ୍ୟମରେ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ନୃତ୍ୟ, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଜାତୀୟ ସହଂତି ଶିବିରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ତିନିଜଣ ସ୍ୱେଚ୍ଛାସେବୀ ରାଜେସ୍ୱରୀ ପ୍ରଧାନ, ଜୟନ୍ତୀ କିଲେଇ ଓ ମୀନା ବିଞ୍ଜାଲଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ଉପାଦେୟ ବୃକ୍ଷ ରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ