ସମ୍ବଲପୁର, ୨୮ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରିସୋର୍ସ ସେଣ୍ଟର ପରିସରରେ ସମ୍ବଲପୁରର ଅଗ୍ରଣୀ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ସୁପ୍ରଭା ମିଶ୍ର ଦ୍ୱିତୀୟ ସ୍ମାରକୀ ସାରସ୍ୱତ ସମାବେଶ ଆୟୋଜିତ ହୋଇଯାଇଛି। 'ସେତୁ' ସଭାପତି ଡଃ ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ‘ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସାହିତ୍ୟର ଅନ୍ତଃସ୍ୱର’ ଶୀର୍ଷକରେ ଆଲୋଚନା ହୋଇଥିଲା । ଆଲୋଚକ ଭାବରେ ଡଃ ଦ୍ୱାରିକାନାଥ ନାୟକ ଯୋଗଦେଇ ସ୍ୱର୍ଗତ ପଶାୟତଙ୍କ ନାଟକ କୃତି ଗୁଡିକୁ ନେଇ କହିଥିଲେ ଯେ, ବିନୋଦ ପଶାୟତଙ୍କ ନାଟକ ଗୁଡିକ ସମାଜର ସବୁ ବର୍ଗଙ୍କୁ ସ୍ପର୍ଶ କରିଥାଏ। ତାଙ୍କ 'ଉଖି' ନାଟକ ସମ୍ବଲପୁରୀ ନାଟକ ଆନ୍ଦୋଳନର ନବଦିଗନ୍ତ ଉନ୍ମୋଚନ କରିଛି। ଏହାପରେ ତାଙ୍କ ସମ୍ବଲପୁରୀ ନାଟକ 'ଅଲାର' ମଧ୍ୟ ବହୁବାର ମଂଚସ୍ଥ ହୋଇଥିଲା। ତାଙ୍କର 'ଲିତା' ନାଟକ ସହ ମାତ୍ର କେତେକ ଛୋଟ ନାଟକ ବ୍ୟତୀତ ଅନ୍ୟ ସମସ୍ତ ନାଟକ ମଂଚସ୍ଥ ହୋଇ ବିପୁଳ ପ୍ରଶଂସା ଲାଭ କରିଛି। ତେବେ ତାଙ୍କର ସମସ୍ତ ନାଟକ ପ୍ରକାଶିତ ହୋଇପାରିଲେ ଏହି ନାଟକ ଗୁଡିକ ଉପରେ ବ୍ୟାପକ ଭାବରେ ଆଲୋଚନା ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିବା ସହ ସମ୍ବଲପୁରୀ ଭାଷାର ଉଚ୍ଚାଙ୍ଗ ପ୍ରୟୋଗ ତାଙ୍କ ନାଟକ ଗୁଡିକର ସଫଳତାର ମୁଖ୍ୟ କାରଣ ବୋଲି ଡଃ ନାୟକ କହିଥିଲେ। ଅନ୍ୟତମ ଆଲୋଚକ ଭାବେ କ୍ଷେତ୍ରମଣି ବିଭାର ବିନୋଦ ପଶାୟତଙ୍କ ଗୀତିକବିତା ଉପରେ ବକ୍ତବ୍ୟ ରଖି କହିଥିଲେ ଯେ, ବିନୋଦ ପଶାୟତଙ୍କ ୬ ଶହରୁ ଊର୍ଦ୍ଧ୍ୱ ଗୀତି କବିତା ଆକାଶବାଣୀରେ ପ୍ରସାରିତ ହୋଇସାରିଛି । ଯେଉଁଥି ପାଇଁ ସେ ସମ୍ବଲପୁରୀ କବି ଭାବରେ ବିଭିନ୍ନ ମହଲରେ ପରିଚିତ ହୋଇ ପାରିଥିଲେ । ଅତି ସରଳ ଭାଷା ଓ ଅଳଂକାର କ୍ଲିଷ୍ଟତାରହିତ ତାଙ୍କର ଗୀତ ଗୁଡିକରେ ଭାବ ଗଭୀର ରହିଥିବାରୁ ସେଗୁଡିକର ସାହିତ୍ୟିକ ମୂଲ୍ୟବୋଧ ବହୁ ମାତ୍ରାରେ ରହିଛି। ‘ସରବ ସହନି ମାଁ', ‘ହାଏ କୃଷ୍ଣ ହାଏ କୃଷ୍ଣ ବଲି’, 'ଏ ନନୀ ସୁଲୋଚନା', 'ଗଲାରାତି ଝୁମ୍?ରାର ସୁରେ’, 'ଲିଟି ଉଡେ ଫୁରୁଫୁରୁରେ ମୋର ନାମ ଟେକାରୁ', 'ଟେଭା ତଲେ କାଏଁ ରସବତୀ' ଭଳି ତାଙ୍କ ରଚିତ ବହୁ ସମ୍ବଲପୁରୀ ଗୀତି କବିତା ଅଦ୍ୟାପି ଲୋକପ୍ରିୟତାର ଶୀର୍ଷରେ ଅଛି। ତାଙ୍କ କବିତା ଗୁଡିକରେ ପ୍ରେମ ପ୍ରଣୟ, ସହ ମାନବବାଦୀ ଚିନ୍ତାଧାରା ଓ ଜୀବନକୁ ତଥା ପ୍ରକୃତିକୁ ଭଲ ପାଇବାର ବାର୍ତା ଅତି ସୁନ୍ଦର ଭାବରେ ଗୁମ୍ଫିତ ହୋଇଛି ବୋଲି ଶ୍ରୀ ବିଭାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଗୀତି କବିତା ଗୁଡିକରୁ ଅନେକ ପଂକ୍ତି ଉପସ୍ଥାପନ କରି ମତପ୍ରକାଶ କରିଥିଲେ। ଏହି ଅବସରରେ ଯୁବ ସାହିତ୍ୟିକ ଆଶିଷ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 'ସେତୁ'ର ପ୍ରତିଷ୍ଠାତା ସମ୍ପାଦକ ଡଃ ନିମାଇଁ ଚରଣ ପଣ୍ଡା ସମ୍ମାନିତ କରିଥିବାବେଳେ ସଭ୍ୟ ଡଃ ସିଦ୍ଧାର୍ଥ ପଣ୍ଡା ମାନପତ୍ର ପାଠ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ 'ସେତୁ' ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର କର ସଂଚାଳନ କରିଥିଲେ। ଯୁଗ୍ମ ସମ୍ପାଦକ ରୀତାରାଣୀ ମିଶ୍ର ସ୍ୱର୍ଗତା ସୁପ୍ରଭା ମିଶ୍ରଙ୍କ ସଂକ୍ଷିପ୍ତ ଜୀବନୀ ପାଠ ଏବଂ ଶେଷରେ ଯୁଗ୍ମ ସମ୍ପାଦକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର?୍ୟ୍ୟକ୍ରମ ପରିଚାଳନାରେ 'ସେତୁ'ର ବରିଷ୍ଠ ସଦସ୍ୟ ବିଦ୍ୟାର୍ଣ୍ଣ ପଣ୍ଡା, କୋଷାଧ୍ୟକ୍ଷ ରବିନାରାୟଣ ପ୍ରଧାନ, ହରିନାରାୟଣ ପଣ୍ଡା, ଡଃ ସ୍ୱୟଂପ୍ରକାଶ ପଣ୍ଡା, ଦେବେନ୍ଦ୍ର ପ୍ରସାଦ ନାଥ, ସୁବ୍ରତ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ