ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସୋମବାର ଠାରୁ ଆରମ୍ଭ ହୋଇଛି । ସୋମବାର ମା'ଙ୍କ ମହାସପ୍ତମୀ ପୂଜା ଥିବାରୁ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯିବା ପରେ ଯଥା ରୀତିନୀତିରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି। ବ୍ଲକର ଧାମନଗର ମେଡିକାଲ ବଜାର, ଶ୍ୟାମପୁର, କଲ୍ୟାଣୀ ନଗର, ଦୋବଲ ବଜାର, ଖରାଖାଇ, ଅଲିନଗର , ନଦିଗାଁ ଏବଂ ଉତେଇପୁର ଆଦି ସ୍ଥାନରେ ମା'ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହେଉଛି। କଲ୍ୟାଣୀନଗର ରେ ମା'ଙ୍କୁ ବଙ୍ଗୀୟ ରୀତିନୀତିରେ ଦୀର୍ଘ ବର୍ଷ ଧରି ପୂଜା କରାଯାଉଛି। ସେଠାରେ ମହାଷ୍ଟମୀ ଦିନ ସାମୂହିକ ଝୁଣାଜଳା ଓ କଖାରୁ ବଳି ପରମ୍ପରା ସମୟରେ ସମ୍ପୃକ୍ତ ଅଂଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। କେତେକ ମଣ୍ଡପରେ କଖାରୁ ଆଖୁ ଓ କଦଳୀ ବଳି ଚଢ଼ାଇବାର ପରମ୍ପରା ରହିଛି। ପୂଜା ମଣ୍ଡପ ଗୁଡିକରେ ଆକର୍ଷଣୀୟ ତୋରଣ ସହିତ ଆଲୋକ ସାଜସଜା ଶ୍ରଦ୍ଧାଳୁ ଙ୍କୁ ବେଶ ଆକୃଷ୍ଟ କରୁଛି। ସନ୍ଧ୍ୟାରେ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ସନ୍ଧ୍ୟା ଆଳତି ଓ ମା'ଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ପୂଜା ମଣ୍ଡପରେ ସହତ୍ସାଧୀକ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି।ଧାମନଗର ସ୍ଥିତ ଶ୍ୟାମପୁର ଠାରେ ମା ମନ୍ତ୍ର ବାସିନୀ ପୀଠରେ ଦୈନିକ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ପ୍ରସାଦ ସେବନ ମଧ୍ୟ କରାଯାଇ ଥାଏ।ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ପୂଜା ମଣ୍ଡପ ରେ ପୋଲିସ ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ