ରାଜ୍ୟ ବିଜେପି ସରକାର ଏସଟି ଏସସି ବିରୋଧୀ: ବିଜେଡି
Bhubaneswar, 4 ସେପ୍ଟେମ୍ବର (ହି.ସ.) -ଏସଟି ଏସସି ଅତ୍ୟାଚାର ଅଭିଯୋଗ ତଦନ୍ତ ଇନ୍ସପେକ୍ଟର, ସବଇନ୍ସପେକ୍ଟର ନିଷ୍ପତ୍ତିକୁ ବିରୋଧ -ଏସଟି ଏସସି ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଅନ୍ଵେଷା ଯୋଜନାକୁ ଆନୁଦାନ ବନ୍ଦ ଗ୍ରହଣୀୟ ନୁହେଁ -ପୂର୍ବ ସ୍ଥିତି ଫେରାଇ ନଆଣିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ
ରାଜ୍ୟ ବିଜେପି ସରକାର ଏସଟି ଏସସି ବିରୋଧୀ: ବିଜେଡି


Bhubaneswar, 4 ସେପ୍ଟେମ୍ବର (ହି.ସ.)

-ଏସଟି ଏସସି ଅତ୍ୟାଚାର ଅଭିଯୋଗ ତଦନ୍ତ ଇନ୍ସପେକ୍ଟର, ସବଇନ୍ସପେକ୍ଟର ନିଷ୍ପତ୍ତିକୁ ବିରୋଧ

-ଏସଟି ଏସସି ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଅନ୍ଵେଷା ଯୋଜନାକୁ ଆନୁଦାନ ବନ୍ଦ ଗ୍ରହଣୀୟ ନୁହେଁ

-ପୂର୍ବ ସ୍ଥିତି ଫେରାଇ ନଆଣିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ

ଦୀର୍ଘ ୫ମାସ ହେଲା ଆଦିବାସୀ ପିଲାଙ୍କ ଅନୁଦାନ ଆସି ନଥିବାରୁ, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜେଡି ସରକାର ଅମଳରେ କାର୍ୟ୍ୟକାରୀ ହେଉଥିବା ଲୋକପ୍ରିୟ ‘ଅନ୍ୱେଷା’ ଯୋଜନା ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହାଛଡା, ଏସଟି ଏସସି ଆଟ୍ରୋସିଟି ଆକ୍ଟ ଅନୁଯାୟୀ, ଅତ୍ୟାଚାର ଅଭିଯୋଗ ଆସିଲେ ଜଣେ ଡିଏସପି ପଦବୀର ଅଫିସରଙ୍କ ଦ୍ୱାରା ତଦନ୍ତ କରିବାର ନିୟମ ଥିଲା, ଯାହାକୁ ଏବେ ଜଣେ ଇନ୍ସପେକ୍ଟର ବା ସବ ଇନ୍ସପେକ୍ଟର କରିପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ, ଏହା ରାଜ୍ୟ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତି ବୋଲି ବିଜୁ ଜନତା ଦଳ କହିଛି।

, ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସୁଦାମ ମାରାଣ୍ଡି ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ସମଗ୍ର ରାଜ୍ୟରେ ୧୭ଟି ଜିଲ୍ଲାରେ ୧୬୩ଟି ପବ୍ଲିକ ସ୍କୁଲର ୯୮ଟି ଛାତ୍ରାବାସରେ ରହୁଥିବା ଆଦିବାସୀ ଛାତ୍ରଛାତ୍ରୀମାନେ ଅନ୍ଵେଷା ଯୋଜନାରେ ଲାଭ ପାଉଥିଲେ। ୨୦୧୫-୧୬ରେ ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ଵେଷା ଯୋଜନାରେ ୨୨ ହଜାର ୩ଶହ ୪୦ଜଣ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଶିକ୍ଷା ବର୍ଷ ଆରମ୍ଭ ହେବାର ୫ ମାସ ବିତି ଯାଇଥିଲେ ମଧ୍ୟ ସମଗ୍ର ଓଡିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷ ପାଇଁ ଅନୁଦାନ ମିଳିନାହିଁ । ଆଦିବାସୀ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢିବା ନିମନ୍ତେ ୨୦୧୫-୧୬ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନ୍ୱେଷା ଯୋଜନା ଆରମ୍ଭ କରିଥିଲେ। ସରକାର ଶିକ୍ଷା ଖର୍ଚ୍ଚ, ପୋଷାକ, ବହି ଖାତା, ଛାତ୍ରାବାସ ଓ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ । ସରକାର ପ୍ରତି ଛାତ୍ରଛାତ୍ରୀ ପିଛା ବାର୍ଷିକ ସ୍କୁଲ ଫିସ୍ ବାବଦରେ ୨୦ ହଜାର, ପୋଷାକ ବହିପତ୍ର ଓ ପରିବହନ ବାବଦରେ ୧୮ ହଜାର ଓ ଖାଦ୍ୟପେୟ ବାବଦରେ ବର୍ଷକୁ ୧୫ ହଜାର ଟଙ୍କା କରି ଜଣକ ପିଛା ବର୍ଷକୁ ୫୩ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ।

ଶ୍ରୀମତୀ ମଲ୍ଲିକ କହିଥିଲେ, ପୂର୍ବ ବର୍ଷ ଅନୁସାରେ, ଶିକ୍ଷା ବର୍ଷ ଆରମ୍ଭ ହେବା ମାତ୍ରେ ଅନୁଦାନ ଆସି ଯାଉଥିଲା, କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ଆରମ୍ଭ ହେଲାଣି କିନ୍ତୁ ଅନୁଦାନ ଆସିନାହିଁ । ସୁନ୍ଦରଗଡ ଓ ରାଉରକେଲାରେ ୧୮ଶହ ଆଦିବାସୀ ଛାତ୍ରଛାତ୍ରୀ ରହୁଛନ୍ତି । ଆଗରୁ ଅନୁଦାନ ଆସିବାରେ ଦୈବାତ ବିଳମ୍ବ ହେଲେ ପୂର୍ବ ବର୍ଷର ବଳକା ଟଙ୍କାରେ କାମ ଚଳେଇ ନିଆଯାଉଥିଲା କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସ ସରିବା କ୍ଷଣି ସରକାର ସବୁ ବଳକା ଟଙ୍କା ଫେରାଇ ନେଇଗଲେ । ଏହା ଦ୍ୱାରା ହଷ୍ଟେଲ ଗୁଡିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ତରଫରୁ, ଅର୍ଥ ଆସି ନଥିବାରୁ ଅନେକ ଛାତ୍ର ଛାତ୍ରୀ ହଷ୍ଟେଲ ଛାଡିଲେଣି। ଏହି ବର୍ଷ ୟୁ ଡାଇଜ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଶିକ୍ଷା ବର୍ଷରେ, ମାଧ୍ୟମିକ ସ୍ତରରେ, ଡ୍ରପ ଆଉଟ ହାର ୯.୮%କୁ ବୃଦ୍ଧି ପାଇଛି। ଏହା ଏସଟି ଏସସି ବର୍ଗର ଲୋକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦର୍ଶାଉଛି। ଏସଟି ଏସସି ବର୍ଗର ଲୋକଙ୍କ ଵିକାଶ ରାଜ୍ୟ ସରକାର ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ ହେଉଛି। ଗୋଟିଏ ପଟେ, ଆଦିବାସୀ ଛାତ୍ରବାସରେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ୟାତନା ଦେଇ ଗଭର୍ବତୀ କରାଯାଉଥିଲା ବେଳେ ଅନ୍ୟପଟେ ସେମାନେ ଉପକୃତ ହେଉଥିବା ‘ଅନ୍ୱେଷା’ ଯୋଜନାକୁ ଏ ସରକାର ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ, ସ୍ୱାଭାବିକ ଭାବେ ଆଦିବାସୀ ଓ ଦଳିତ ମାନଙ୍କ ଵିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ, ବାସ୍ତବରେ ଫଳ ଓଲଟା ହୋଇଛି। ଅନ୍ଵେଷା ଭଳି ବହୁ ଉପାଦେୟ ଯୋଜନା ବନ୍ଦ ହେବା ସ୍ଥିତି ଉପୂଜିଛି। ଏହା ଛଡା, ଏସଟିଏସସିଙ୍କୁ ଅତ୍ୟାଚାର ଅଭିଯୋଗ ମାମଲାରେ ଜଣେ ଡିଏସପି ପଦବୀର ଅଫିସର ତଦନ୍ତ କରିବାର ଆଇନରେ ଥିବା ବ୍ୟବସ୍ଥାକୁ ଏବେ ରାଜ୍ୟ ସରକାର ପରିବର୍ତ୍ତନ କରି ଜଣେ ଇନ୍ସପେକ୍ଟର ବା ସବଇନ୍ସପେକ୍ଟର କରିବେ ବୋଲି ନିୟମ କରିଛନ୍ତି। ରାଜ୍ୟରେ ବାସ କରୁଥିବା ଲୋକଙ୍କ ଭିତରୁ ପ୍ରାୟ ୪୦% ଲୋକ ଏସଟି ଏସସି ବର୍ଗର। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଏସଟି ଏସସି ବର୍ଗର ଲୋକଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର। ବିଜେଡି ନିନ୍ଦା କରିବା ସହିତ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମାରାଣ୍ଡି କହିଥିଲେ।

ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଏସଟି ଏସସି ପ୍ରିଭେନସନ ଅଫ ଆଟ୍ରୋସିଟି ନିୟମାବଳୀ ୧୯୯୫ ଅନୁସାରେ ରୁଲ୍-୭ ରେ ଏହି ବ୍ୟବସ୍ଥା ଅଛି ଯେ, ଜଣେ ଡିଏସପି ପଦବୀର ଅଫିସର ଅତ୍ୟାଚାର ଅଭିଯୋଗର ତଦନ୍ତ କରିବେ। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ (୧୯୮୯ ର ୩୩) ର ଧାରା ୨୩ ର ଉପ-ଧାରା (୧) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, କେନ୍ଦ୍ର ସରକାର ଏତଦ୍ଦ୍ୱାରା ନିମ୍ନଲିଖିତ ନିୟମ ପ୍ରଣୟନ କରୁଛନ୍ତି । ଏହାକୁ ୩୦/୦୮/୨୦୨୫ରେ ରାଜ୍ୟ ସରକାର ପରିବର୍ତ୍ତନ କରି, ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ତଦନ୍ତ କରିବେ ବୋଲି ଅର୍ଡର କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାର୍ଲିଆମେଣ୍ଟରେ ଅନୁମୋଦନ ହୋଇ ଲାଗୁ କରାଯାଇଥିବା ନିୟମକୁ ରାଜ୍ୟ ସରକାର ଏକ ତରଫା ଭାବେ ପରିବର୍ତ୍ତନ କରିବା ନିୟମ ବିରୋଧୀ। ରାଜ୍ୟ ସରକାର ଡ଼ିଏସପି ପଦବୀର ଉପରିସ୍ଥ ପଦବୀର ଅଧିକାରୀଙ୍କୁ ତଦନ୍ତ ଅଧିକାରୀର ଦାୟିତ୍ୱ ଦେଇ ପାରିଥାନ୍ତେ। କିନ୍ତୁ, ଏହାକୁ କମାଇ ଦେବା ଦ୍ୱାରା, ଅତ୍ୟାଚାରର ଶିକାର ହୋଇଥିବା ଏସଟି ଏସସି ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଡ.ମାଝୀ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande