ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ଠାରେ ୨ଦିନ ଧରି ଆରମ୍ଭ ହୋଇଥିବା ସମରାଭ୍ୟାସ ସାଗର କବଚ-୨ ଆଜି ଶେଷ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଏହି ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି ମେରାଇନ ପୁଲିସ,ଇଣ୍ଡିଆନ କୋଷ୍ଟଗାର୍ଡ,ଇଣ୍ଡିଆନ ନେଭି,ଓଡିଶା ପୁଲିସ,ମତ୍ସ୍ୟ ବିଭାଗ, ବନ ବିଭାଗ ସହ ସରକାରଙ୍କ ଅନ୍ୟ ବିଭାଗ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହୋଇଥିଲେ।୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଉପକୂଳ ଅଂଚଳରେ ଜଳପଥରେ ଆତଙ୍କବାଦୀ ମାନଙ୍କୁ ପ୍ରତିହିତ କରିବା ଏହି ସମରାଭ୍ୟାସ ର ମୂଳ ଲକ୍ଷ୍ୟ। ଏହି ସମରାଭ୍ୟାସରେ ସୁରକ୍ଷାକର୍ମୀ ୨ ଭାଗରେ ସାମିଲ ହୋଇଥାନ୍ତି।ଶତ୍ରୁ ପକ୍ଷ(ବ୍ଲୁ ଫୋର୍ସ) ର ସୁରକ୍ଷାକର୍ମୀ ଠିକ ସମୟରେ ଠିକଣାସ୍ଥଳରେ ପହଂଚିବାକୁ ଚେଷ୍ଠା କରୁଥିବା ବେଳେ ସୁରକ୍ଷାକର୍ମୀ (ରେଡ ଫୋର୍ସ) ସେମାନଙ୍କୁ ଠିକଣା ସମୟ ପୂର୍ବରୁ ଧରିବାକୁ ଚେଷ୍ଟା ଚଳାଇଥାଏ। ଯଦି ଶତ୍ରୁ ପକ୍ଷ ନିଜର ସମୟାନୁଯାଇ ଠିକଣା ସମୟରେ ଏକ ପୂର୍ବ ନିର୍ଧାରିତ ସ୍ଥାନରେ ପହଂଚି ଯାଏ ତାହେଲେ ସୁରକ୍ଷା ବ୍ୟବସ୍ଥା ଢିଲା ଅଛି ବୋଲି ବିବେଚନା କରାଯାଏ ଯଦି ପୂର୍ବ ନିର୍ଧାରିତ ସମୟ ପୂର୍ବରୁ ଶତ୍ରୁ ପକ୍ଷଙ୍କୁ ସୁରକ୍ଷାକର୍ମୀ ଧରି ନେଇ ଥାନ୍ତି ତାହା ହେଲେ ଦେଶର ସୁରକ୍ଷା ବ୍ୟବସ୍ଥା କଡାକଡି ଅଛି ବୋଲି ବିବେଚନା କରାଯାଏ।୨ ଦିନ ଧରି ହେଉଥିବା ଏହି ସମରାଭ୍ୟାସ ସାଗର କବଚ-୨ର ପ୍ରଥମ ଦିନରେ ଧାମରା ମୁହାଣରେ ୨ଟି ବେସରକାରୀ ମାଛ ଧରା ଟ୍ରଲରେ ଆସୁଥିବା ୪ଜଣ(ଶତ୍ରୁ ପକ୍ଷ)ଙ୍କୁ ଧରିବାରେ ସୁରକ୍ଷାକର୍ମୀ ସଫଳ ହୋଇଥିଲେ। ସେହିପରି ଦ୍ୱିତୀୟ ଦିନରେ ଧାମରା ମତ୍ସ୍ୟପୋତାଶ୍ରୟକୁ ପ୍ରବେଶ କରୁଥିବା ୩ଜଣଙ୍କୁ ମଧ୍ୟ ସୁରକ୍ଷାକର୍ମୀ ଧରିବାରେ ସଫଳ ହୋଇଥିଲେ। ୨ଦିନ ଧରି ଚାଲିଥିବା ସମରାଭ୍ୟାସ ସାଗର କବଚରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ,ଧାମରା ଥାନାଧିକାରୀ ଶୋଭନ ସ୍ୱାଇଁ, ଧାମରା ସାମୁଦ୍ରିକ ଥାନାଧିକାରୀ ପ୍ରିୟଦର୍ଶନୀ ଖଟୁଆ, କୃଷ୍ଣଚନ୍ଦ୍ର ନାୟକ,ଶରତ ଜେନାଙ୍କ ସମେତ ଭଦ୍ରକ ଜିଲ୍ଲା ପୁଲିସ ଅଧିକାରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ