ଭୁବନେଶ୍ୱର, ୪ ସେପ୍ଟେମ୍ବର (ହି.ସ.) – ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ଗଡେଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ପାଲା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଅନ୍ତିମ ଦିବସରେ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସନ୍ଧ୍ୟାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାୟକ ଓ ଅନ୍ୟାନ୍ୟ ସଙ୍ଗୀତକାରମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଗାୟକ ପ୍ରବୀର ସନାତନ ଦାସଙ୍କୁ ‘ଇରାମୂର୍ତି’ ସମ୍ମାନ ଓ ଗାୟକ ବ୍ୟାସପୁତ୍ର ଚନ୍ଦ୍ରଶେଖର ପାଢୀଙ୍କୁ ‘ମେଘ ମହ୍ଲାର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦାନ କରି ଓଡ଼ିଆ ଭାଷା ସହିତ ପାଲା ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ଶଶାଙ୍କ ଶେଖର ଚୁଡ଼ାମଣି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ଉତ୍ପତି ଉପରେ ଆଲୋକପାତ କରିଥିଲେ। ପାଇକ ମହାସଂଘ ସଭାପତି ଡଃ ଅଶୋକ କୁମାର ପାଲଟାସିଂହ ଓଡ଼ିଆ ଅସ୍ମିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଗାୟକ ସୁନିଲ୍ କୁମାର ରାଉତଙ୍କୁ ‘ବିଦ୍ୟାଭୂଷଣ’ ଓ ଗାୟକ ନିରଞ୍ଜନ ସ୍ୱାଇଁଙ୍କୁ ଜ୍ଞାନଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ। ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ