ଚମ୍ପୁଆ, ୪ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ପୁର ଗ୍ରାମରେ ମହା ଆଡମ୍ବର ସହକାରେ ପାଳିତ ହୋଇଛି କରମ ପରବ। ଏହି କରମ ପରବରେ ପାରମ୍ପରିକ ମାନ୍ଦଳ ବାଦ୍ୟର ତାଳେ ତାଳେ ଝୁମର ନାଚ, ଗୀତରେ ଝୁମିଲେ ସମସ୍ତ ଗ୍ରାମବାସୀ। କୁଡୁମି ସଂସ୍କୃତିରେ କରମ୍ ପରବ୍ ଏକ କୃଷିଭିତ୍ତିକ ପ୍ରକୃତି ପୂଜା ପର୍ବ ଅଟେ। ବୃକ୍ଷ ଠାରୁ ମନୁଷ୍ୟ ସମସ୍ତ ପ୍ରକାରର ଉପକାର ପାଉ ଥିବାରୁ କେଉଁ ଆଦିମ କାଳରୁ କୁଡୁମି (ମହାନ୍ତ) ମାନେ କରମ୍ ବୃକ୍ଷକୁ ଦେବତା ରୁପେ ପୁଜା କରି ଏହି ପର୍ବ ପାଳନ କରି ଆସୁଛନ୍ତି। ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଗ୍ରାମର କରମରାଜା କଲଚୁରାଲ କ୍ଲବ ପକ୍ଷରୁ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଏହି କୃଷି ଭିତିକ ପର୍ବରେ ଗ୍ରାମର ବରିଷ୍ଠ ନାଗରିକ ସୁରେନ୍ଦ୍ର ମହାନ୍ତ କର୍ମ ଓ ଧର୍ମ ପରାୟଣ ହେବାପାଇଁ ବାର୍ତ୍ତା ଦେଉଥିବା କର୍ମୁ ଓ ଧର୍ମୁ ଗଳ୍ପକୁ ଲୋକଙ୍କ ସମ୍ମୁଖରେ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ।
ଏହି କରମ୍ ପରବ୍ କାର୍ଯ୍ୟକ୍ରମକୁ ଗ୍ରାମର ସତ୍ୟଜିତ ମହାନ୍ତ, ଜୟନ୍ତ ମହାନ୍ତ, ତାପସ ମହାନ୍ତ, ସୁଧାଂଶୁ ମହାନ୍ତ, ଚନ୍ଦ୍ରଶେଖର ମହାନ୍ତ, ଯତୀନ ମହାନ୍ତ, କିରଣ ମହାନ୍ତ, ବୃଷଭ ମହାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ସାହିର ସମସ୍ତ ପୁରୁଷ, ମହିଳା ମାନେ ସହଯୋଗ କରିବା ସହିତ ପାରମ୍ପରିକ ଭାବେ ମାନ୍ଦଳର ତାଳେ ତାଳେ ସାରାରାତି ଝୁମର ସଂଗୀତ ଓ ନୃତ୍ୟରେ ମଜିଯାଇଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta