ସମ୍ବଲପୁର, ୦୪ ସେପ୍େଟମ୍ବର (ହି.ସ.) - ସମ୍ବଲପୁର ମହାନଗର ନିଗମର ନିର୍ବାଚନକୁ ନେଇ ଗତକାଲି ମାନ୍ୟବର ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଫଇସଲା ଆସିବା ପରେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ତାଙ୍କର ପ୍ରେସ ବିବୃତିରେ କହିଛନ୍ତି ଯେ ତତ୍କାଳୀନ ବିଜେଡି ସରକାରର ଆନ୍ତରିକତା ଅଭାବ ଓ ପରାଜୟର ଭୟ ପାଇଁ ସମ୍ବଲପୁର ମହାନଗର ନିଗମ ଅଂଚଳବାସୀ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ପୌର ଅଧିକାରରୁ ବଂଚିତ ରହି ଆସୁଥିଲେ । ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ ଦୁର୍ନୀତି ର ଏକ ପେଣ୍ଠସ୍ଥଳି ସାଜିଥିଲା । ନିର୍ବାଚିତ ପ୍ରତିନିଧି ନ ଥିବାରୁ ଲୋକେ ନିଜର ପୌର ସମସ୍ୟା ର ସମାଧାନ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ପ୍ରସାନିକ ଅଧିକାରୀ ଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ମହାନଗର ନିଗମ ଅଂଚଳବାସୀ ସର୍ବନିମ୍ନ ପୌର ସୁବିଧା ରୁ ବଂଚିତ ରହୁଥିଲେ । ଏକ ନିର୍ବାଚିତ ଜନପ୍ରତିନିଧି ରହିବାର ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଦୀର୍ଘ ବର୍ଷ ଧରି କାର୍ଯ୍ୟନିର୍ବାହୀ ସଂସ୍ଥା ରେ ପରିଣତ କରିଥିଲେ ତତ୍କାଳୀନ ବିଜେଡି ସରକାର । ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ସମ୍ବଲପୁର ର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରତିଶୃତି ଦେଇଥିଲେ ଯେ ରାଜ୍ୟ ରେ ବିଜେପି ସରକାର ଆସିଲେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରେଇବା ପାଇଁ ଯଥା ବିଧି ବ୍ୟବସ୍ଥା କରାଯିବ । ୱାର୍ଡ ସଂରକ୍ଷଣ କୁ ନେଇ ଓଡିଶା ହାଇ କୋର୍ଟ ରେ ଚାଲିଥିବା ମାମଲା କୁ ତ୍ୱରାନ୍ୱିତ କରି ଶୀଘ୍ର ଶୁଣାଣି ପାଇଁ ଚେଷ୍ଟା କରିବୁ। ଓଡିଶାର ହାଇ କୋର୍ଟ ଙ୍କ ବୁଧବାର ଦିନର ଫଇସଲା ସମ୍ବଲପୁର ବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ରାଜ୍ୟ ସରକାର ମଧ୍ୟ ଖୁବ ଶୀଘ୍ର ହାଇ କୋର୍ଟ ଙ୍କ ନିର୍ଦେଶ କୁ କାର?୍ୟ୍ୟକାରୀ କରିବେ ବୋଲି ଏବେ ଆଶା ସଂଚାର ହୋଇଛି।ଏଠାରେ ଉଲ୍ଲେଖ ରହି ଥାଉ ଯେ ଗତ ୨୦୧୩ ନଭେମ୍ବର୧୫ ତାରିଖ ରେ ସମ୍ବଲପୁର ପୌର ପରିଷଦ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଂଚଳ ପରିଷଦ ଓ ୧୨ ଗୋଟି ପଂଚାୟତ କୁ ନେଇ ଗଠନ ହୋଇଥିଲା ସମ୍ବଲପୁର ମହାନଗର ନିଗମ । କିନ୍ତୁ, ଘରେ ପଶୁ ପଶୁ ଚାଳ ବାଜିଲା ଭଳି ପ୍ରଥମ ନିର୍ବାଚନ ରେ ହିଁ ବାଧକ ସୃଷ୍ଟି ହୋଇଥିଲା ୱାର୍ଡ ସଂରକ୍ଷଣ ବ୍ୟବସ୍ଥା ।ସମ୍ବଲପୁର ମହାନଗର ନିଗମ ହେବା ପରେ ନିର୍ବାଚନ ପାଇଁ ପ୍ରକାଶିତ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇଥିବା ଅଭିଯୋଗ ନେଇ ୨୦୧୫ ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏହି ବିଜ୍ଞପ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ୧୦ ବର୍ଷ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ହୋଇ ପାରୁ ନଥିଲା।ଏହି ମାମଲାର ଶୀଘ୍ର ଶୁଣାଣୀ ପାଇଁ ଆଇନଜୀବି ତଥା କଂଗ୍ରେସ ନେତା ଦୂର୍ଗା ପାଢ଼ୀ, ଆଇନଜୀବୀ ପ୍ରକାଶ ଶତପଥୀ ଓ ଅନ୍ୟ ଜଣେ ନାଗରୀକ ୩ ଟି ଇଂଟରଭେନର ପିଟିସନ ଦାଖାଲ କରିଥିଲେ। ଓଡିଶାର ହାଇ କୋର୍ଟ ଏହାର ଶୁଣାଣୀ ପରେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି । ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମହାନଗର ନିଗମ ୱାର୍ଡ ସଂରକ୍ଷଣ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହିତ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂରକ୍ଷଣ ୫୦ ପ୍ରତିଶିତ ସୀମା ଭିତରେ ରଖି ଓ ସୁପ୍ରିମକୋର୍ଟଙ୍କ ରାୟ ପାଳନ କରି ୬ ସପ୍ତାହ ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଅଜୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି। ଫଳରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ, ବିଜେପିର ପୂର୍ବତନ ଯୁବମୋର୍ଚା ଜିଲ୍ଲା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ, କଂଗ୍ରେସର ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ଆଇନଜୀବୀ ଦୂର୍ଗା ପାଢ଼ୀ ଙ୍କ ସମେତ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ