ସୁବର୍ଣ୍ଣପୁର, 5 ସେପ୍ଟେମ୍ବର (ହି.ସ)
ଗୁରୁ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ । ଗୁରୁ ମଣିଷ ତିଆରି କାରଖାନାର ବିନ୍ଧାଣି ତାଙ୍କ ଉତ୍ସାହ,ପ୍ରେରଣା ଆଗକୁ ବଢାଏ ।ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ଵର୍ଶ କରିବା ଉଚିତ ।ତାଙ୍କ କର୍ମ ଓ ଜ୍ଞାନ ଆଗରେ ଆଜି ଆମେ ନତମସ୍ତକ ବୋଲି ଅଧ୍ୟାପିକା ବୈଜୟନ୍ତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିନିକାର ପୁଣ୍ୟପୀଠ ପାପକ୍ଷୟ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିନିକା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଆୟୋଜିତ ଗୁରୁ ମହୋତ୍ସବରେ ପ୍ରକାଶ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ ବିନା ଗୁରୁରେ କେହି ସଫଳତା ଛୁଇଁ ପାରେ ନାହିଁ। ବାପା ମାଁ ଙ୍କ ପରେ ଗୁରୁ ହିଁ ଜୀବନର ଆଗକୁ ବଢିବା ପାଇଁ ସଠିକ ମାର୍ଗ ଦେଖାଏ । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବା ଏବଂ ପାଠ ପଢା ଠାରୁ ଖେଳକୁଦ ନୃତ୍ୟ ସଙ୍ଗୀତ ଅଭିନୟ ଆଦି ସବୁ କ୍ଷେତ୍ରରେ ଗୁରୁଙ୍କ ଅବଦାନ ଗୁରୁତ୍ତ୍ୱପୂର୍ଣ୍ଣ ।ସ୍ନେହ,ଶ୍ରଦ୍ଧା,ଆଶୀର୍ବାଦ ହିଁ ଶିଷ୍ୟ ମାନଙ୍କ ଜୀବନର ପାଥେୟ।ତେଣୁ ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ରହି ଆସିଛି ବୋଲି ବୋଲି ଅଧ୍ୟାପିକା ଶ୍ରୀମତୀ ସାହୁ କହିଥିଲେ । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଶାଙ୍କ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା ମୁଖ୍ୟଅତିଥି,ବିନିକା ବିଇଓ ଲକ୍ଷ୍ମଣ ମିଶ୍ର ମୁଖ୍ୟବକ୍ତା,ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର ନାୟକ,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୃହ ବିଜ୍ଞାନ ଅଧ୍ୟାପିକା ବୈଜୟନ୍ତୀ ସାହୁ,ଏବିଇଓ ହେମସାଗର କାଳସେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ଗତ ସେପ୍ଟେମ୍ବର ୨୪ରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଚାକିରୀରୁ ଅବସର ନେଇଥିବା ୧୦ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଉତ୍ସବ ସଭାକୁ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅନନ୍ତ ନାରାୟଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନୁଷ୍ଟିତ ଏହି ଗୁରୁ ଦିବସ ପାଳନ ପରିପ୍ରେକ୍ଷୀରେ ଏନଏସି ଓ ବ୍ଲକ ଅଧିନ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।ସେହିପରି ବିନିକା ସରସ୍ଵତୀ ଶିଶୁ ମନ୍ଦିର,ଇକୋ ଭିଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ