ପଟ୍ଟାମୁଣ୍ଡାଇ, ୫ ସେପ୍ଟେମ୍ବର (ହି.ସ.)- ଶିକ୍ଷା କଥା ଆଲୋଚନା ହେଲେ ମନେ ପଡେ ଆମ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରପାଳିକା ଅନ୍ତର୍ଗତର ଏକ ଖ୍ୟାତି ସମ୍ପର୍ଣ୍ଣ ବିଦ୍ୟାଳୟ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ। ଏହି ଅନୁଷ୍ଠାନ ଏକ ସାଧାରଣ ଅନୁଷ୍ଠାନ ନୁହେଁ ଏହା ଏକ ମଣିଷ ତିଆରି କାରଖାନା। ଏହି ଅନୁଷ୍ଠାନରୁ ଅନେକ ଛାତ୍ରଛାତ୍ରୀ ଦେଶ, ବିଦେଶରେ ନାମ କମାଇଛନ୍ତି। ଏହି ଅନୁଷ୍ଠାନରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଅତ୍ୟାଧୁନିକ ଶିକ୍ଷଣସାମଗ୍ରୀ ବ୍ୟବହାର କରି ଶିକ୍ଷାଦାନ କରନ୍ତି। ଏଠି ସ୍ମାର୍ଟ ଲାଇବ୍ରେରୀ ସହ , ନୂତନ ଆଇ ସି ଟି ଲାବ, ଅଟଳ ବିଜ୍ଞାନଗାର ଅଛି। ଏନ ସି ସି, ସ୍କାଉଟ ପିଲାମାନଙ୍କ ଦ୍ଵାରା ଅନେକ ସଚେତନତା ବାର୍ତା ସମାଜକୁ ଯାଏ। ଖେଳକୁଦ ସହିତ ଶାରୀରିକ ଯୋଗ ଅଭ୍ୟାସ ପିଲାମାନେ ପ୍ରତିଦିନ କରି ସୁସ୍ଥ ରୁହନ୍ତି।
ଆଜି ପବିତ୍ର ଗୁରୁ ଦିବସ ତଥା ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ନଙ୍କ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ପୁଣି ଦ୍ୱିତୀୟ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଇଛି। ଏହି ବିଦ୍ୟାଳୟରୁ ଚାରି ଜଣ ସୁନାମ ଧନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଆଜି ଏହି ପୁରସ୍କାର ପାଇଛନ୍ତି। ଏ ମାନଙ୍କର ପାଠ ପଢା ଶୈଳୀ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରି ପିଲାମାନଙ୍କୁ ବାନ୍ଧି ରଖିବାର କୌଶଳ ଅତି ଉଚ୍ଚ କୋଟିର । ଆଜି ଇଚ୍ଛାପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସମସ୍ତ ପ୍ରସ୍ତୁତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ରଘୁରାମ ଆୟର ଓ ସଭାର ସଭାପତି ଭାବେ କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ବାରିକ ମହୋଦୟ ଯୋଗ ଦେଇଥିଲେ । ଏହି ସଭାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଉତ୍ସବ ରେ ସମସ୍ତ କୃତି ଶିକ୍ଷକ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏହି ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ହେଲେ ଇଂରାଜୀରେ ସରୋଜ କୁମାର ସ୍ୱାଇଁ, ଗଣିତରେ ତାପସ କୁମାର ବେହେରା, ସାମାଜିକ ବିଜ୍ଞାନରେ ଅନିତା ଧଳ, ଖେଳ ରେ ଶଶାଙ୍କ ଶେଖର ସାହୁ।
ଏହି ପୁରସ୍କାର ଆମ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପାଇଥିବାରୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି ଓ ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ