ଚମ୍ପୁଆ, ୫ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ କଳାକର ମହାନ୍ତ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶା, ଉତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ ତଥା ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାଏକ, ସଦସ୍ୟା ପ୍ରତିଭା ମଞ୍ଜରୀ ନାୟକ ସଦସ୍ୟା ମୋନାଲିସା ରାଉତ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଓ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଆଦି ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ କର ସମାଜ ଓ ରାଷ୍ଟ୍ରର ମଙ୍ଗଳ ପାଇଁ କାର୍ଯ୍ୟ କରି ଉଦାହରଣ ସାଜିଥିବା ଗୁରୁ-ଶିଷ୍ୟଙ୍କର କାର୍ଯ୍ୟକଳାପ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଗଣ ଏହି ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ ଭାରତୀୟ ସଂସ୍କୃତିର ଏକ ପ୍ରାଚୀନ ପରମ୍ପରା ଏବଂ ଗୁରୁ ଇଶ୍ୱରଙ୍କ ପ୍ରତିରୂପ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ଅତିଥି ଓ ଗୁରୁଜୀ ଗୁରୁମାଆ ମାନଙ୍କୁ ବନ୍ଦାପନା କରିବା ସହିତ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଛାତ୍ର ଆଶୁତୋଷ ପ୍ରଧାନ, ଛାତ୍ରୀ ଅର୍ଚ୍ଚିତା ପ୍ରଧାନ ମଂଚ କାର୍ଯ୍ୟ ପରିଚାଳନା କରିଥିଲେ । ରାଜସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଲିପସା ମହାରଣା, ଇପସିତା ପ୍ରଧାନ, ଅଙ୍କିତା ପ୍ରିୟଦର୍ଶିନୀ ଦେହୁରୀ, ଅତନୁ ସବ୍ୟସାଚୀ ଦାସ ଆଦି ଗୁରୁ ଦିବସର ମହତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରିୟାଶୁ ବାରିକ, ଶୁଭ୍ରା ରାମ, ସୁଦୀପ୍ତା ମହାନ୍ତ, ଗୋପୀନାଥ ବାରିକ, ଶୁଭମ ବେହେରା, ରୂପମ କାମିଲାଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta