ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.) - ଗରିବ ତଥା ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ପରିବାରକୁ ସହାୟତା ର ହାତ ବଢ଼ାଇଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସ୍ଥିତ ଦୋରାଗୁଡାରେ ଗତ ୧ ତାରିଖ ମଧ୍ୟାହ୍ନ ସମୟରେ ସୁବାଷ ଗୌଡ଼ଙ୍କ ଘର ସଟ ସର୍କିଟ ଯୋଗୁଁ ଆସବାପତ୍ର, ଲୁଗାପଟା, ଚାଉଳ ଏବଂ ରାସନ ସାମଗ୍ରୀ ସମେତ ସମ୍ପୂର୍ଣ୍ଣ ଘରୋଇ ଉପକରଣ ପୋଡି ନଷ୍ଟ ହୋଇଯାଇଥିଲା। ଘରେ ବୃଦ୍ଧ ବୃଦ୍ଧା ଦୁହେଁ ରହୁଥିବା ବେଳେ ସୌଭାଗ୍ୟବଶତଃ ଉଭୟଙ୍କ ଜୀବନ ବଂଚିଯାଇଥିଲା। ତେବେ ସେମାନଙ୍କର ଏହି ଅସୁବିଧା ସମୟରେ ବିପଦର ବନ୍ଧୁ ଭଳି ସାହାଯ୍ୟର ହାତ ବଢାଇଛି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଏହି ଖବର କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଦୀପ କୁମାର ମହାରଣା ପାଇବା ପରେ ତୁରନ୍ତ ଉଭୟ ବୃଦ୍ଧ ବୃଦ୍ଧା ଙ୍କ ନିକଟରେ ପହଂଚି ସାହାଯ୍ୟର ହାତ ବଢ଼ାଇଥିଲେ। ଏଥିସହ ସେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ରଙ୍କୁ ଜଣାଇବା ପରେ ଆଜି ଅସହାୟ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଛି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ତେବେ ଆଜି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି, ନିରଞ୍ଜନ ମଲ୍ଲ, ସହ ସମ୍ପାଦକ ଶିବଦତ ସାହୁ, ବ୍ଲକ ସମ୍ପାଦକ ଏ ଦେବାଶିଷ ପାତ୍ର, କୋଷାଧକ୍ଷ ଅବିନାସ ବେହେରା, ସୁଧାଂଶୁ ଶେଖର ମହାନ୍ତି, ଦିପଙ୍କର କୀର୍ତନିଆ, ସୁରେନ୍ଦ୍ର ହାଲବା ଅସହାୟ ପରିବାର କୁ ଭେଟି ଆବଶ୍ୟକୀୟ ସାମଗ୍ରୀ ଭାବେ ଚାଉଳ ଏବଂ ରାସନ ସାମଗ୍ରୀ ସମେତ ବସ୍ତ୍ର ଆଦି ପ୍ରଦାନ କରିଛନ୍ତି। ତେବେ ସଂଘର ଟିମ ଯାଇ ଅସହାୟ ପରିବାରକୁ ଭେଟି ଏହି ସାମଗ୍ରୀ ସବୁ ପ୍ରଦାନ କରିବା ପରେ ଉଭୟ ବୃଦ୍ଧ ଏବଂ ବୃଦ୍ଧାଙ୍କ ମୁହଁରେ ହସର ଲହରୀ ଖେଳିଯାଇଥିଲା। ତେବେ ଉତ୍କଳ ସାମ୍ବାଦିକ ସଙ୍ଘର ଏପରି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ