ଜୟପୁର, ୫ ସେପ୍େଟମ୍ବର (ହି.ସ.) - ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ପ୍ରକ୍ରିୟା କରାଯିବ । ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟବ୍ୟାପୀ ଅଗଣିତ ସକ୍ରିୟ କଂଗ୍ରେସ କର୍ମୀଙ୍କ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରିବେ । ଏହି ଅବସରରେ ଆଜି କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ ଜୟପୁର ଏବଂ କୋଟପାଡ ବିଧାନସଭା ଅଧିନସ୍ଥ ଜୟପୁର, କୋଟପାଡ, ବୋରିଗୁମ୍ମା, ବୈପାରୀଗୁଡା ବ୍ଲକ ଏବଂ ଦୁଇଟି ପୌରାଂଚଳର ସକ୍ରୀୟ କର୍ମି ମାନେ ଚୟନ ପ୍ରକ୍ରିୟାରେ ନିଜ ନିଜ ମତାମତ ଗ୍ରହଣ କରାଯାଇଛି । ଏହି ଅବସରରେ ଏଆଇସିସି ପକ୍ଷରୁ ନିଯୁକ୍ତ କୋରାପୁଟ ଜିଲ୍ଲା ପ୍ରଭାରୀ ଭାରକ ଭୂଷଣ ବିମଲ ଏବଂ ପ୍ରଦ୍ୟୁମ୍ନ ଦାସ ପ୍ରମୁଖ ଏକ କୋଠରୀକୁ ବ୍ୟକ୍ତିଗତ ଭାବେ ଡାକି ସେମାନଙ୍କ ମତାମତ ଗ୍ରହଣ କରିଥିଲେ । ଏହାପରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଏଆଇସିସି ପକ୍ଷରୁ ନିଯୁକ୍ତ ରାଜ୍ୟ ପ୍ରଭାରୀ ଅଜୟ କୁମାମ ଲଲ୍ଲୁ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଜିଲ୍ଲା ସଭାପତି ଶଶିଭୂଷଣ ପାତ୍ର ପ୍ରମୁଖ ମଂଚାସିନ ହୋଇ ଉପସ୍ଥିତ କର୍ମୀ ମାନଙ୍କ ଶୃଙ୍ଖଳିତ ରହିବା ସହ ଦଳକୁ ଆଗାମୀ ଦିନରେ ବିଭିନ୍ନ ନିର୍ବାଚନରେ କିଭଳି ସଫଳତା ମିଳିବ ସେଥିପ୍ରତି ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ପୌରସଂସ୍ଥା, ଏନଏସି ଅଧ୍ୟକ୍ଷ, ବ୍ଲକ, ପୌରାଂଚଳର, ଯୁବ,ଛାତ୍ର ଓ ମହିଳା କଂଗ୍ରେସର କର୍ମକର୍ତା ମାନଙ୍କ ସମେତ ସକ୍ରିୟ କର୍ମୀମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଗତକାଲି କୋରାପୁଟ ଠାରେ ୩ଟି ବିଧାନସଭାର ନିର୍ବାଚନ ମଣ୍ଡଳୀରେ ୧୦ଟି ବ୍ଲକର ସକ୍ରିୟ କର୍ମିଙ୍କ ମତାମତ ଗ୍ରହଣ କରାଯାଇଥିଲା ।
ସାରା ରାଜ୍ୟରେ ଜିଲ୍ଲାର ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବା ପାଇଁ ୩ ଜଣିଆ ପିସିସି ପର୍ଯ୍ୟବେକ୍ଷକ ମଣ୍ଡଳୀ ମାନେ ନିଜ ନିଜ ଦାୟୀତ୍ୱରେ ରହିଥିବା ଜିଲ୍ଲା ଗସ୍ତ କରୁଛନ୍ତି । ଏହିପରି ଏହି ପର୍ଯ୍ୟବେକ୍ଷକ ମାନେ ଆସନ୍ତା ୯ ଦିନ ପର୍ଯ୍ୟନ୍ତ ଜିଲ୍ଲାରେ ରହିଥିବା ସହ ସମସ୍ତ କର୍ମୀ ଓ କର୍ମକର୍ତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ସହିତ ବ୍ଲକ ପୌରାଂଚଳ ସ୍ତରରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନଙ୍କ ସହ ଆଲୋଚନା କରି ଏକ ୬ ଜଣିଆ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିବେ। ଉକ୍ତ ତାଲିକାରେ ଅନୁସୂଚିତ ଜାତି, ଜନଜାତି, ମହିଳା, ଓବିସି ଓ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଏହି ପ୍ରକ୍ରିୟାକୁ ଯଥା ସମ୍ଭବ ଗଣତାନ୍ତ୍ରିକ ଓ ପୂର୍ଣ୍ଣାଙ୍ଗ କରିବା ପାଇଁ ଆବଶ୍ୟକ ସ୍ଥଳେ ପର୍ଯ୍ୟବେକ୍ଷକ ମାନେ ଅସୁସ୍ଥ ଓ ବୟୋବୃଦ୍ଧ ନେତୃବୃନ୍ଦଙ୍କ ଘରକୁ ଯାଇ ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟା ଆସନ୍ତା ୧୪ରେ ଶେଷ ହେବ ।
ହିନ୍ଦୁସ୍ଥାନ ସମାଚାର / ପିକେପି