ସୁବର୍ଣ୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଫଟୋଗ୍ରାଫର ସଂଘ ପକ୍ଷରୁ ସ୍ଥାନୀୟ ଘୋଡାଘାଟପଡା ସ୍ଥିତ ସିତେଲେଇ କଲ୍ୟାଣ ମଣ୍ଡପ ପରିସରରେ ନୁଆଁଖାଇ ଭେଟଘାଟ ତଥା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଜିତେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଁ ସୁରେଶ୍ୱରୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନସହ ପୁଷ୍ପମାଲ୍ୟ ଅର୍ପଣ ଓ ପରେ ଦିବଙ୍ଗତ ଫଟୋଗ୍ରାଫରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଅରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଟ ଶିକ୍ଷାବିତ ତଥା ଫଟୋଗ୍ରାଫର ପ୍ରତାପ ରାୟଗୁରୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ୬୦ ଦଶକର ଫଟୋଗ୍ରାଫଠୁ ଆରମ୍ଭକରି ବର୍ତମାନ ସମୟର ଫଟୋଗ୍ରାଫି ସମ୍ପର୍କରେ ତାଙ୍କର ଅନୁଭୁତି ବଖାଣିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଫଟୋଗ୍ରାଫର ଗୋକୁଲ ଠାକୁର, ସଚ୍ଚିତାନନ୍ଦ ମିଶ୍ର, ଅଶୋକ ସାହୁ, ରବୀନ୍ଦ୍ର ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯେଗାଦେଇ ସମସ୍ତଙ୍କୁ ନୁଆଁଖାଇର ଶୁଭେଚ୍ଛା ବାର୍ତା ପ୍ରଦାନ କରିବାସହ ଫଟୋଗ୍ରାଫି ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଟ ଫଟୋଗ୍ରାଫର ପ୍ରତାପ ରାୟଗୁରୁ, ଗୋକୁଲ ଠାକୁର, ସଚ୍ଚିଦାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ହୋତାଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟକୁ ଫଟୋଗ୍ରାଫର ମଧୁସଦୁନ ମିଶ୍ର ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘର ଉପ ସଭାପତି କାମପାଳ ପାତ୍ର, ସଂପାଦକ ୟାସର ମହମ୍ମଦ, କୋଷାଧ୍ୟକ୍ଷ ଚିତରଂଜନ ବିଶି, ସୁକଦେବ ପାତ୍ର, ପ୍ରଶାନ୍ତ ତରିଆ, ଦେବଦତ ତ୍ରିପାଠି ଏବଂ ରାମଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଫଟୋଗ୍ରାଫର ମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ