କୋଲକାତା, ୮ ସେପ୍ଟେମ୍ବର (ହି.ସ.)- ପଶ୍ଚିମବଙ୍ଗରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ସମ୍ପର୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସକାଳେ ଝାଡ଼ଗ୍ରାମ, ପଶ୍ଚିମ ମେଦିନୀପୁର, ଉତର ୨୪ ପ୍ରଗଣା ଏବଂ କୋଲକାତା ସମେତ ଚାରୋଟି ଜିଲ୍ଲାରେ ଏକକାଳୀନ ୨୨ଟି ସ୍ଥାନରେ ଚଢଉ କରିଛି ।
ସୂତ୍ର ଅନୁସାରେ, ଝାଡ଼ଗ୍ରାମ ଜିଲ୍ଲାର ଗୋପୀବଲ୍ଲଭପୁର ୧ ଏବଂ ୨ ବ୍ଲକରେ ଅନେକ ବାଲି ଖନନ ବ୍ୟବସାୟୀଙ୍କ ଘରେ ପହଂଚିଥିଲା ଇଡି ଏବଂ କେନ୍ଦ୍ରୀୟ ବାହିନୀର ଏକ ମିଳିତ ଦଳ । ସର୍ବପ୍ରଥମେ, ତଦନ୍ତକାରୀ ସଂସ୍ଥା ବ୍ୟବସାୟୀ ଶେଖ ଜହିରୁଲ ଅଲିଙ୍କ ଘରେ ଚଢଉ କରିଥିଲା । ତାଙ୍କ ବିରୁଦ୍ଧରେ ଦୀର୍ଘ ଦିନ ଧରି ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଖଣି ଏବଂ ଚୋରା ଚାଲାଣ ଅଭିଯୋଗ ରହିଛି । କୁହାଯାଉଥିଲା ଯେ ଜହିରୁଲ ଅଲି ପୂର୍ବରୁ ଗ୍ରାମର ସିଭିଲ୍ ପୋଲିସରେ କାର୍ଯ୍ୟରତ ଥିଲେ, କିନ୍ତୁ ଚାକିରି ଛାଡି ବାଲି ଖଣି ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ ଘର ଏବଂ ଯାନବାହାନ ତଲାସୀ ସମୟରେ ଅନେକ କାଗଜପତ୍ର ଯାଂଚ୍ କରାଯାଇଛି । ପରିବାର ସଦସ୍ୟଙ୍କ ଫୋନ୍ ଏବଂ ଲାପଟପ୍ ମଧ୍ୟ ଜବତ କରାଯାଇଛି ।
ଇଡି ସନ୍ଦେହ କରୁଛି ଯେ, ବେଆଇନ ବାଲି ଖଣି ବ୍ୟବସାୟରୁ ଅର୍ଜିତ ଟଙ୍କାକୁ ନକଲି କମ୍ପାନୀ ଏବଂ ହାୱାଲା ମାଧ୍ୟମରେ ବ୍ୟବହାର କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଦାବି କରୁଛି ଯେ, ଜହିରୁଲ ଅଲି ଅନେକ ନକଲି କମ୍ପାନୀ ମାଧ୍ୟମରେ ମଧ୍ୟ ଟଙ୍କା କାରବାର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ