
ଧର୍ମଶାଳା, ୧୦ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଦାସସାହି ଗ୍ରାମସ୍ଥିତ ମଦନମୋହନ ଜୀଉ ମନ୍ଦିର ରୋଷ ଗୃହର ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହାସିକ ମଦନମୋହନ ଜୀଉ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ସାଂସଦ ରବି ନାରାୟଣ ବେହେରାଙ୍କୁ ଗତ କିଛି ଦିନ ପୂର୍ବେ ମନ୍ଦିର କମିଟି ପକ୍ଷରୁ ଲିଖିତ ଭାବେ ଜଣାଯାଇଥିଲା । ବିଧାୟକ ଏହା ଉପରେ ଦୃଷ୍ଟି ଦେଇ ଏହାର ପୁନରୁଦ୍ଧାର ନିମନ୍ତେ ବିଭାଗୀୟ ଧର୍ମଶାଳା ପଂଚାୟତ ସମିତି ଡି ପି ଏମ୍ ୟୁ ଯାଜପୁର କାର୍ଯ୍ୟନିର୍ବାହୀ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସମାଜସେବୀ ମିନତୀ ସାହୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଶିଳାନ୍ୟାସ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ବିଜେପି ଯୁବ ନେତା ଅଭିଷେକ ରାଉତ, ଜାରକା ମଣ୍ଡଳ ସଭାପତି ଦେବବ୍ରତ ପଣ୍ଡା, ବିଜେପି କାଏମା ପ୍ରଭାରୀ ସୁରେଶ ଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ମଧୁସୂଦନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଐତିହାସିକ ମନ୍ଦିର ଅତୀତର ମୁକ ସାକ୍ଷୀ । ଏହା ଏକ ପୂରାତନ ମନ୍ଦିର ହୋଇଥିବା ବେଳେ ଏହାର ରୋଷଘର, ନାଟମଣ୍ଡପ, ବିମାନ ଗୃହ ଓ ଅନୁସାଙ୍ଗିକ ଗୃହ ଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି । ପର୍ଯ୍ୟାୟକ୍ରମେ ଅନ୍ୟ କାମଗୁଡିକ କରାଯିବ ବୋଲି ଧର୍ମଶାଳା ବିଧାୟକ ଶ୍ରୀ ସାହୁ କମିଟି ଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଏଥିଲାଗି ବିଧାୟକଙ୍କୁ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ