
ସମ୍ବଲପୁର, ୧୦, ଜାନୁଆରୀ (ହି.ସ.) ସମ୍ବଲପୁର ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ସ୍ୱରୂପ ମହାନଦୀ କୂଳରେ ଥିବା ରିଙ୍ଗ ରୋଡ୍କୁ ରାଜ୍ୟ ରାଜପଥ ୧୫ କୁ ସଂଯୋଗ ପାଇଁ କଳେବର ବୃଦ୍ଧି କରାଯିବ। ଏହି ମେଗା ସଡ଼କ ପ୍ରକଳ୍ପ ପାଇଁ ୧୨୩ କୋଟି ଟଙ୍କା ଅନୁମୋଦିତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
କଚେରି ଛକ ସହିଦ ସ୍ତମ୍ଭ ଠାରୁ ଜିଲ୍ଲାପାଳଙ୍କ ଆବାସିକ କ୍ୱାର୍ଟର ଦେଇ ରାଜ୍ୟ ରାଜପଥ ୧୫ ର ସୋନପୁର ରୋଡ୍ ପର୍ଯ୍ୟନ୍ତ ଏହି ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବ।
ଏହି ରାସ୍ତା ପ୍ରଶସ୍ତିକରଣ ଓ ସମ୍ପ୍ରସାରଣ ଦ୍ୱାରା ସହରର ମୁଖ୍ୟ ରାସ୍ତା ଉପରେ ଚାପ କମିବ ଏବଂ ଟ୍ରାଫିକ୍ ଜାମ୍ରୁ ଲୋକଙ୍କୁ ମୁକ୍ତି ମିଳିବ। ଏପରିକି ସମ୍ବଲପୁର-କଟକ ଜାତୀୟ ରାଜପଥ ରେ ଆସୁଥିବା ଗାଡି ମୋଟର ମାନେଶ୍ଵରରୁ ସହର ମଧ୍ୟକୁ ନଆସି ପ୍ରସ୍ଥାବିତ ନୂଆ ରାସ୍ତାରେ ପଦମପୁର,ବରପାଲି,ବରଗଡ଼, ବୁର୍ଲା, ହୀରାକୁଦ ପ୍ରଭୃତି ସ୍ଥାନକୁ ଯାଆଆସ କରିପାରିବ। ଫଳରେ ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଳା ଉପରେ ଟ୍ରାଫିକ ଚାପ ହ୍ରାସ ପାଇବ।
ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଚି଼ହ୍ନଟ ଓ ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଛି। ତେଣୁ ଖୁବଶୀଘ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।
ଏହି ସଡ଼କ ପ୍ରକଳ୍ପ ଦ୍ୱାରା ମହାନଦୀ କୂଳରେ ଏହି ଅତ୍ୟାଧୁନିକ ରାସ୍ତା ନିର୍ମାଣ ହେବା ଫଳରେ ସମ୍ବଲପୁର ସହରର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ। ଏହି ପ୍ରକଳ୍ପ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରର ବିକାଶ ଆମର ପ୍ରାଥମିକତା। ଏହି ନୂତନ ରିଙ୍ଗ ରୋଡ୍ ପ୍ରକଳ୍ପ ସହରର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ