
ଖୋର୍ଦ୍ଧା, ୧୦ ଜାନୁଆରି (ହି.ସ.) - ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶନିବାର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦିଆଯାଇଥିବାରୁ ଏନେଇ ସଚେତନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ତ ବିଭାଗ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ବରିଷ୍ଟ କଂଗ୍ରେସ ନେତା ଜୟଦେବ ଜେନା ଯୋଗଦେଇ ୟୁପିଏ ସରକାର ସମୟରେ ବେକାରୀ ଲୋକଙ୍କୁ କାମ ଦେବା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କୋଟି କୋଟି ଜନସାଧାରଣ ଉପକୃତ ହେଉଥିଲେ । ଖୁବ ନିକଟରେ ବିଜେପି ଷଡଯନ୍ତ୍ର କରି ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇ ନୂତନ ଯୋଜନା କରି ଏହି ଯୋଜନାର ଲକ୍ଷ୍ୟ ପୂରଣ ଦିଗରେ ପ୍ରତିବନ୍ଧକ ସାଜିଛନ୍ତି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଏହାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ନାମ ନ ଯୋଡ଼ନ୍ତି କଂଗ୍ରେସ ଦଳ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ କରିବ ବୋଲି ଜୟଦେବ ଜେନା ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟରେ ବିଜୁଳି ଉପଭୋକ୍ତାମାନଙ୍କୁ ଟାଟା କମ୍ପାନୀ ଯେଉଁଭଳି ଭାବରେ ଶୋଷଣ କରିଚାଲିଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ଉପଭୋକ୍ତାମାନଙ୍କ ପାଇଁ ଥିବା ବ୍ୟବସ୍ଥାକୁ କାର୍ଯ୍ୟ କରାଯାଉ ନାହିଁ । ମନମୁଖି ଶୁଳ୍କ, ସ୍ମାଟ ମିଟର ପାଇଁ ଦେୟ ଉପଭୋକ୍ତା ମାନଙ୍କୁ ଆର୍ôଥକ ସଂକଟ ମଧ୍ୟକୁ ଠେଲି ଦେଇଛି ବୋଲି ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ କହିଥିଲେ। ଅନୁରୂପ ଭାବେ ରାଜ୍ୟରେ ଧାନର ଅଭାବି ବିକ୍ରୀ ଉତ୍କଟ ହେଲାଣି। ଚାଷୀଭାଇ ମାନେ ଅମଳ କରିଥିବା ଧାନକୁ ସରକାର ଉଠାଉ ନାହାନ୍ତି । ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ିରହିଛି । ଯେତିକି ଧାନ ଉଠୁଛି ଚାଷୀଭାଇ ମାନଙ୍କୁ କଟନି ଛଟନି ସେତିକି ବାଧୁଛି । ଏ ସମସ୍ତ ଦିଗ ପ୍ରତି ସରକାର ସଚେତନ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ କଂଗ୍ରେସ ନେତା ସ୍ୱାଗତିକା ପଟ୍ଟନାୟକ,ପୃଥ୍ୱିବଲଭ ପଟ୍ଟନାୟକ,ଶିଶିର ପରିଡ଼ା,ପ୍ରଦୀପ ସ୍ୱାଇଁ,,ରଞ୍ଜିତ ମହାପାତ୍ର, ଅଶୋକ ମଙ୍ଗରାଜ,ଅମିତ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ