
କନ୍ଧମାଳ, ୧୦ ଜାନୁଆରୀ (ହି.ସ.)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ର ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପୋଲିସ୍ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟା୧୫ ରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ୭ଟା ୩୦ରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ରତ୍ୟୁଷରେ ରାମଧୂନ ପରିବେଷଣ କରାଯିବ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରାଯିବ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ବକ୍ତୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ । ଏହା ସହିତ ପ୍ୟାରେଡ, ସାମୁହିକ ଗଣ ବ୍ୟାୟାମ, ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବିତରଣ, ଜିଲ୍ଲା କାରାଗାରର କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ, ଶାନ୍ତି ଶୃଙ୍ଖଳା ରକ୍ଷା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା।
ଏହି ବୈଠକକୁ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ପରିଚାଳନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡଃ. ସନ୍ତୋଷ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବିଣ ବାଣୁଆ, ଫୁଲବାଣୀର ଉପଜିଲ୍ଲାପାଳ ଭିକାରୀ ସାହୁ, ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଭ୍ରଜିତ ବିଶ୍ଵାଳ, ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ