
ସମ୍ବଲପୁର, ୧୦, ଜାନୁଆରୀ (ହି.ସ.) ଆଜି ସମ୍ବଲପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତିରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପରିବେଶ ଅନୁକୂଳ ପରିବହନ ଦିଗରେ ଯେକୌଣସି ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ବାସୀଙ୍କ ଦୀର୍ଘଦିନର ଯଥାର୍ଥ ଦାବିକୁ ଅଣଦେଖା କରି କେବଳ ପ୍ରତିକାତ୍ମକ ଉଦ୍ଘାଟନ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଇପାରିବ ନାହିଁ। ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ ସମ୍ବଲପୁର ବାସୀଙ୍କୁ କେବଳ ବାହ୍ୟ ଚମକର ଦରକାର ନାହିଁ; ଆମକୁ ଆମର ସାମ୍ବିଧାନିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟସେବା, ସାଂସ୍କୃତିକ ତଥା ଭାଷାର ସ୍ୱୀକୃତି ଏବଂ ଗଣତାନ୍ତ୍ରିକ ଶାସନ ଦରକାର। ଦଶନ୍ଧି ଧରି, ସମ୍ବଲପୁର ଏବଂ ପଶ୍ଚିମ ଓଡ଼ିଶାର ଜନସାଧାରଣ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କରିଆସୁଛନ୍ତି। ଟ୍ରିପଲ୍ ଇଞ୍ଜିନ ସରକାରର ନିର୍ବାଚନୀ ପ୍ରତିଶ୍ରୁତି, ଜନସାଧାରଣଙ୍କ ପ୍ରତିବାଦ ଏବଂ ପୂର୍ବ ବିଜେଡି ସରକାର ର କେନ୍ଦ୍ର ସରକାରଙ୍କୁ ସୁପାରିଶ ସତ୍ତ୍ୱେ, ବର୍ତ୍ତମାନର ଟ୍ରିପଲ୍ ଇଞ୍ଜିନ ସରକାର ତଥା ସମ୍ବଲପୁର ଗସ୍ତ ରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରବତା ଆମର ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ। ସେହିପରି ଭାବରେ ଯଦି ଦେଖିବା ବର୍ତ୍ତମାନର ଶାସିତ ସରକାର ନିର୍ବାଚନ ସମୟରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ବାସୀଙ୍କ ଅନ୍ୟ ଏକ ଦୀର୍ଘ ଦିନର ଦାବି ସମ୍ବଲପୁର ଠାରେ ଏକ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହି ପ୍ରସଙ୍ଗରେ ସରକାର ନିଜର ପ୍ରତିଶ୍ରୁତି ସତ୍ତ୍ବେ କ୍ରମାଗତ ଭାବରେ ଅଣଦେଖା କରିଚାଲିଛନ୍ତି। ଏହା ସହ ବୁର୍ଲା ସ୍ଥିତ ଭିମସାର, ଯାହା ରାଜ୍ୟର ଅନ୍ୟତମ ପୁରାତନ ତଥା ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଅନୁଷ୍ଠାନ, ତାହାକୁ କେବଳ ପ୍ରତିଶୃତି ନୁହେଁ ବରଂ ତୁରନ୍ତ ଏକ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରାଯିବା ଉଚିତ। ପଶ୍ଚିମ ଓଡ଼ିଶାର ରୋଗୀମାନେ ଉନ୍ନତ ଚିକିତ୍ସା ପାଇଁ ଶହ ଶହ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହେବା ଦୁଃଖଦାୟକ। ସମ୍ବଲପୁରୀ ଭାଷାକୁ ସରକାରୀ ସ୍ୱୀକୃତିପ୍ରାପ୍ତ ଭାଷା ଭାବରେ ମାନ୍ୟତା ଦେବା ପ୍ରସଙ୍ଗରେ ସରକାରଙ୍କ ନୀରବତା ଅତ୍ୟନ୍ତ ନିରାଶାଜନକ। ସମ୍ବଲପୁରୀ କେବଳ ଏକ ଉପଭାଷା ନୁହେଁ; ଏହା ଏକ ସମୃଦ୍ଧ ସାହିତ୍ୟ, ସଂସ୍କୃତି ଏବଂ ପରିଚୟର ଭାଷା। ଏହାକୁ ଅଣଦେଖା କରିବା କୋଟି କୋଟି ଜନସାଧାରଣଙ୍କ ଆତ୍ମସମ୍ମାନକୁ ଅପମାନିତ କରିବା ସଦୃଶ।
ଏହା ସହ ସମ୍ବଲପୁର ମହାନଗର ନିଗମ ନିର୍ବାଚନ କାହିଁକି କରାଯାଉ ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି। ସରକାର କ’ଣ ଜନମତକୁ ଭୟ କରୁଛନ୍ତି? ସହରାଞ୍ଚଳର ଜନସାଧାରଣଙ୍କୁ ନିର୍ବାଚନକୁ ବାରଣ କରିବା ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ କରିବା ସହ ସମାନ।
ହୀରାକୁଦ ବନ୍ଧର ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମିତ ବେଆଇନ ବ୍ୟାରେଜ ବିରୋଧରେ ରାଜ୍ୟ ସରକାରଙ୍କ ଦୁର୍ବଳ ଆଭିମୁଖ୍ୟକୁ ସେ ନିନ୍ଦା କରିଛନ୍ତି। ଏହି ବ୍ୟାରେଜଗୁଡ଼ିକ ପଶ୍ଚିମ ଓଡ଼ିଶାର ଜଳସେଚନ, ପାନୀୟ ଜଳ ଏବଂ ଚାଷୀଙ୍କ ଅଧିକାରକୁ ଗମ୍ଭୀର ଭାବେ ପ୍ରଭାବିତ କରୁଛି।
ଏହା ସହ ବର୍ତ୍ତମାନର ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଚାଷୀ ଭାଇଙ୍କ ବାରମ୍ବାର ଆନ୍ଦୋଳନ, ବନ୍ଦ ଏବଂ ପ୍ରତିବାଦ ସତ୍ତ୍ବେ ମଧ୍ୟ ସମାଧାନ ନ ହେବା ଏବଂ ଏହାର ସମାଧାନ ପାଇଁ ସରକାର ଚେଷ୍ଟା ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଅତ୍ୟନ୍ତ ଚିନ୍ତାଜନକ। ଇଭି ବସ୍ ଉଦ୍ଘାଟନ ଗୋଟିଏ ଦିନ ପାଇଁ ହେଡଲାଇନ୍ ହୋଇପାରେ, କିନ୍ତୁ ବିଳମ୍ବିତ ନ୍ୟାୟ, ବଞ୍ଚିତ ସ୍ୱାସ୍ଥ୍ୟସେବା, ଅବହେଳିତ ଭାଷା, ବଞ୍ଚିତ ରହୁଥିବା ଜନସାଧାରଣଙ୍କ ଗଣତନ୍ତ୍ର ଏବଂ ପ୍ରତାରିତ ଚାଷୀ - ଏହା ହିଁ ସମ୍ବଲପୁରର ପ୍ରକୃତ ସମସ୍ୟା,” ବୋଲି ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ କେବଳ ଏକ ‘ଉତ୍ସବ ସ୍ଥଳ’ ଭାବେ ବ୍ୟବହାର ନକରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ନିଜର ଅଧିକାର, ସମ୍ମାନ ଏବଂ ନ୍ୟାୟ ପାଇଁ ସମ୍ବଲପୁରବାସୀ ସେମାନଙ୍କର ଗଣତାନ୍ତ୍ରିକ ସଂଗ୍ରାମ ଜାରି ରଖିବେ ବୋଲି ସେ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଦୀର୍ଘ ୨୪ ବର୍ଷର ସ୍ବଚ୍ଛ ଓ ନିର୍ମଳ ସରକାରର ଶାସନ କାଳରେ ପଶ୍ଚିମ ଓଡ଼ିଶାର ଦକ୍ଷ ରାଜନୈତିକ ନେତାମାନେ କିଭଳି ପଶ୍ଚିମ ଓଡ଼ିଶାକୁ ସମସ୍ଯା ମୁକ୍ତ କରି ପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ