
ମାଲକାନଗିରି, ୧୦ ଜାନୁଆରୀ (ହି.ସ.)- କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଖନାଗୁଡା ଗ୍ରାମର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକଲ ଅଭିଯାନ ସଂସ୍କାର ଶିକ୍ଷା ଆନୁକୁଲ୍ୟରେ ସଙ୍କୀର୍ତ୍ତନ ପ୍ରତିଯୋଗିତା ଓ ସତସଙ୍ଗ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ସମ୍ପାଦକ ତଥା ଏକଲ ସ°ସ୍କାର ଶିକ୍ଷାର ଜିଲ୍ଲା ସଭାପତି ବାଲାରାଜୁ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏକଲ ଅଭିଯାନର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ପଣ୍ଡା, ମହନ୍ତ ବ୍ରହ୍ମାନନ୍ଦ ଦାସ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଶିବ ପ୍ରସାଦ ମିରଧା, ଓଡ଼ିଶା ସମ୍ଭାଗ ବ୍ୟାସ କାର୍ଯ୍ୟକର୍ତ୍ତା ଗଣେଶ ନାୟକ ଓ ଜିଲ୍ଲା ହିନ୍ଦୁ ଜାଗରଣ ପ୍ରମୁଖ ବିଜୟାନନ୍ଦ ପଡାଲ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଅତିଥି ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାରତମାତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୁଜାର୍ଚ୍ଚନା କରିଥିଲେ । ଏହାପରେ ଅତିଥି ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିମତ ରଖି କହିଥିଲେ ଯେ, ବର୍ତ୍ତମାନ ବିଶ୍ଵରରେ ସ°ସ୍କାର ଓ ନୀତି ଆଦର୍ଶ ମୂଲ୍ୟବୋଧ ଶିକ୍ଷାର ଘୋର ଅଭାବ ପରିଲକ୍ଷିତ ହେଉଛି ଏଣୁ ଏହାକୁ ବଞ୍ଚାଇବାକୁ ହେଲେ ବର୍ତ୍ତମାନର ଯୁବସମାଜକୁ ତଥା ଲୋକମାନଙ୍କୁ ଆମର ସର୍ବପୁରାତନ ସନାତନ ସ°ସ୍କୃତି, ପରମ୍ପରା ଓ କଳା କୌଶଳ ବିଷୟରେ ଅବଗତ କରାଇବା ସହ ସତସଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମ ଓ ନୀତିଶିକ୍ଷା ପ୍ରଦାନ କରିବାକୁ ପଡ଼ିବ ବୋଲି କହିଥିଲେ । ଏହାପରେ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଆଠ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନେଇ ଏକ ସଙ୍କୀର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖାସକରି ଦଳ ମାନଙ୍କର ବାଦ୍ୟଯନ୍ତ୍ର ପରିବେଷଣ, ତାଳ ଲୟର ସମିଶ୍ରଣ ଓ ବେଶଭୂଷାକୁ ପାଥେୟ କରି ତିନିଟି ମଣ୍ଡଳୀ କୁ ଶ୍ରେଷ୍ଠ ଭାବେ ବିବେଚନା କରାଯାଇ ଗୁନିଆଗୁଡା ସଙ୍କୀର୍ତ୍ତନ ଦଳକୁ ପ୍ରଥମ, ବନ୍ଧଗୁଡା କଳାକାର ଦଳକୁ ଦ୍ୱିତୀୟ ଓ ସିରିପେଟା ସଙ୍କୀର୍ତ୍ତନ ମଣ୍ଡଳୀକୁ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଅଞ୍ଚଳ ବ୍ୟାସ କାର୍ଯ୍ୟକର୍ତ୍ତା ଅର୍ଜୁନ ଶାସ୍ତ୍ରୀ ମଞ୍ଚ ପରିଚାଳନା କରିଥିଲେ ଓ ତାଙ୍କୁ ଅକ୍ଷୟ କୁମାର ହୋତା, ରାମଚନ୍ଦ୍ର ମାଢୀ,ପଦଲାମ୍ ଦୁମାଲୀ, ଗୈାରାଙ୍ଗ ଗାଦବା, ଗୋପିନାଥ ଗାଗଡ,ଶୁକ୍ରା ମାଢୀ, କାର୍ତ୍ତିକ ମାଢୀ, ଅର୍ଜୁନ ମାଢୀ ଓ ଶ୍ରୀଧର ଆଦବାରୀ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ