
ଚମ୍ପୁଆ, ୧୦ ଜାନୁଆରୀ (ହି.ସ.)- ବାଲି ଚୋରା ଚାଲାଣ ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଛି ବାରିଆ ପୋଲିସ। ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଆଜି ଅତର୍କିତ ଚଢ଼ଉ କରାଯାଇ ବାରିଆ ପୋଲିସ ପକ୍ଷରୁ ତିନିଟି ଟ୍ରାକ୍ଟରକୁ ଜବତ କରାଯାଇଛି।
ମିଳିଥିବା ଖବର ଅନୁସାରେ, ଆଜି ଭୋର୍ ସକାଳୁ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ମେର୍ମେଦା ନାଳରୁ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିବା ନେଇ ଖବର ପାଇବା ପରେ ବାରିଆ ପୋଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ତିନିଟି ଟ୍ରାକ୍ଟରକୁ ଜବତ କରି ଥାନାରେ ରଖାଯାଇଛି। ତାଙ୍କ ନାମରେ ମାମଲା ରୁଜୁ ହେବ ବୋଲି ବାରିଆ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭଣ୍ଡା ସ୍ଥିତ ମେର୍ମେଦା ନାଳରୁ ନିୟମିତ ଭାବେ ବାଲି ମାଫିଆ ମାନେ ପ୍ରତିଦିନ ପ୍ରଚୁର ମାତ୍ରାରେ ବାଲି ଚୋରା ଚାଲାଣ କରୁଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରଶାସନ ଓ ବିଭାଗୀୟ ନିରବତାକୁ ନେଇ ଖବର ପ୍ରକାଶ ପାଇ ଆସୁଥିଲା। ଯାହାକୁ ଭିତ୍ତି କରି ଆଜି ବାରିଆ ପୋଲିସ ପକ୍ଷରୁ ଅତର୍କିତ ଚଢ଼ଉ କରି ତିନିଟି ଟ୍ରାକ୍ଟର ଜବତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ନିୟମିତ ଚଢ଼ଉ କରି ବାଲି ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta