
କେନ୍ଦ୍ରାପଡା, 10 ଜାନୁଆରି (ହି.ସ.)- କେନ୍ଦ୍ରାପଡ଼ା ଦୁହୁରିଆ ସ୍ଥିତ ରତ୍ନାକର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପତ୍ରିକା “ରତ୍ନଗର୍ଭା” ଉନ୍ମୋଚନ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ନିଷ୍ଠା, ପରିଶ୍ରମ ଓ ଏକାଗ୍ରତା ମଣିଷକୁ ଲକ୍ଷ ସ୍ଥଳରେ ପହଞ୍ଚାଇ ଥାଏ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ଅତି ନିବିଡ଼ ରହିବା ଆବଶ୍ୟକ । ନିଜ ସ୍ୱାର୍ଥ ଦେଖିବା ସହ ଦେଶ କଥା ଭାବନ୍ତୁ । ଏକ ସଭ୍ୟ ପରିବାର ଏକ ସୁସ୍ଥ ସମାଜ ଗଠନ କରେ ଓ ଏକ ସୁସ୍ଥ ସମାଜ ଏକ ସୁନ୍ଦର ଦେଶ ତିଆରି କରେ । ତୁମେମାନେ ଏହି ଦେଶର ଭବିଷ୍ୟତ । ଏହି ଦେଶ ତୁମମାନଙ୍କ ଠାରୁ ବହୁତ ଆଶା ରଖିଛି । ଭକ୍ତି ଓ ଆଶ୍ରିବାଦ ଯେଉଁଠି ସଫଳତା ସେଇଠି ବୋଲି ପିଲାମାନଙ୍କ ଉଦେଶ୍ୟରେ ଶ୍ରୀ ବେହେରା କହିଥିଲେ । ମୁଖ୍ୟବକ୍ତା ଲିଲିତା ଦାସ, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ନିର୍ମଳା ମହାନ୍ତି,ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମିତିସଭ୍ୟା ଉର୍ମିଳା ସେଠି, ଶିକ୍ଷାବିତ କାର୍ତିକ ଚରଣ ନାୟକ, ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, ସ୍କୁଲ ପରିଚାଳନା ପରିଷଦର ଅଧକ୍ଷ ସାରଦା ପ୍ରସନ୍ନ ନାଥ, ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମିତିସଭ୍ୟ ଦେବାଶିଷ ଦାସ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ପିତାମ୍ବର ଯୋଗଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ପ୍ରାରମ୍ଭରେ ଶିକ୍ଷୟତ୍ରୀ ସୁଭଦର୍ଶନୀ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଜୟଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟରୁ ଅବସର ନେଇଥିବା କର୍ମଚାରିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ରଂଜନ କୁମାର ପଲାଇ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି