
ସମ୍ବଲପୁର, ୧୮, ଜାନୁଆରୀ (ହି.ସ.) ରବିବାର ଠାରୁ ତୃତୀୟ ସମ୍ବଲପୁରୀ ଧନୁଯାତ୍ରା ମହାସମାରୋହରେ ଶୁଭାରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ଗଙ୍ଗାଧର ମଣ୍ଡପ ମଥୁରା ନଗରୀ ଓ ଚାଉଁରପୁର ଗ୍ରାମ ଗୋପପୁର ରୂପରେ ମଂଚସ୍ଥ ହୋଇଛି। ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଯାତ୍ରାରେ ସମ୍ବଲପୁର ସହର ଓ ଚାଉଁରପୁର ମଧ୍ୟରେ ଥିବା ମହାନଦୀରେ ଯମୁନା ଦୃଶ୍ୟ ଅଭିନୀତ ହୋଇଛି ବୋଲି ଧନୁଯାତ୍ରା ଆୟୋଜକ କମିଟି ସଭାପତି ସଞ୍ଜୟ କୁମାର ବାବୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯାତ୍ରାର ଏହି ୫ ଦିନ ଧରି ଚାଉଁରପୁରରେ କୃଷ୍ଣ ଲୀଳା ଅନୁଷ୍ଠିତ ହେବ। ଦିନରେ କଂସ ଦରବାରରେ ବିଭିନ୍ନ କଳାକାର ଓ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକଗୀତ, ଲୋକନୃତ୍ୟ ପରିବେଷଣ କରାଯିବ । ଗୋପପୁରରେ ଭଜନ ସମାରୋହ, ପାଲା, ସଂକୀର୍ତନ ଆଦି ଅନୁଷ୍ଠିତ ହେବ। ଚଳିତବର୍ଷ ବଳରାମ ଭୂମିକାରେ ଜଣେ ନୂତନ ବାଳକ କଳାକାର ଅଭିନୟ କରିବେ। ୪ ଦିନ ଧରି କଂସ ମହାରାଜ ସହରର ବିଭିନ୍ନ ରାସ୍ତାରେ ପାଟ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ ବିଶେଷ ଆକର୍ଷଣ ରହିବ। ରବିବାର ଦିନ ୧୦ ଟାରେ ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ମା' ସମଲେଶ୍ୱରୀ ମନ୍ଦିରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ। ଯାତ୍ରାର ଭିନ୍ନ ଭିନ୍ନ ଦିବସରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଜିଲା ପ୍ରଶାସନର ଅଧିକାରୀଙ୍କୁ ଆମନ୍ତ୍ରିତ କରାଯାଇଥିବା ସମ୍ପାଦକ ଗୁଣରଞ୍ଜନ ସାଲିମା କହିଥିଲେ । ଉପସଭାପତି ରାମଦାସ ପଣ୍ଡା ଧନ୍ୟବାଦ ଦେଇଥିଲେ। ଧନୁଯାତ୍ରା ସହ ମୀନାବଜାର ୨୬ ତାରିଖ ପର୍ଯ୍ୟନ୍ତ ଗଙ୍ଗାଧର ମଣ୍ଡପରେ ଚାଲିବ ବୋଲି ଆୟୋଜକ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଗୋପପୁର କମିଟି ସଭାପତି ଆଦିତ୍ୟ ନାୟକ, ନିର୍ଦ୍ଦେଶକ ବବଲୁ ବାଗ ଓ ପ୍ରଶାନ୍ତ ମହାରଣା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ, କଂସ ଅଭିନେତା ଫଣୀନ୍ଦ୍ର ପଣ୍ଡା, ସାଂସ୍କୃତିକ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ, ସାଂସ୍କୃତିକ ସମ୍ପାଦକ ଯୋଗେଶ ନନ୍ଦ, କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା ଓ ଚୈତନ୍ୟ ନାୟକ, ଉପସଭାପତି ଶଙ୍କର ବେହେରା, ସହସମ୍ପାଦିକା ଲିଳିମା ମଲ୍ଲିକ, ସହ ସାଂସ୍କୃତିକ ସମ୍ପାଦକ ଲଳିତ ବେବର୍ତା, ସ୍ୱାଧୀନ ପଣ୍ଡା, ରାହୁଲ ଗୁପ୍ତା, ହିମାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ