
• ଦୀପ୍ତୀରେଖା ଓ ଜୟଶ୍ରୀ ଧଳଙ୍କ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ
• ମେଳାର ଭ୍ରମ ସୃଷ୍ଟି କଲା ବରମୁଣ୍ଡା-ଜାଗମରା ନୂଆ ରାସ୍ତା
• ସହରର ପରିବେଶକୁ ସୁସ୍ଥ, ସବୁଜ, ସୁନ୍ଦର ରଖିବା ପାଇଁ ବାର୍ତ୍ତା ଦେଲେ ଆମନ୍ତ୍ରିତ ଅତିଥିବୃନ୍ଦ
ଭୁବନେଶ୍ୱର 18 ଜାନୁଆରି (ହି.ସ.)ନୃତ୍ୟ, ଗୀତରେ ଦୁଲୁକିଲା ବରମୁଣ୍ଡା-ଜାଗମରା ନୂଆ ରାସ୍ତା । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆୟୋଜିତ ଦ୍ୱିତୀୟ ପଥ ଉତ୍ସବରେ ଝୁମିଲେ ଦର୍ଶକ । ଦୀର୍ଘ ଏକ କିଲୋମିଟର ବ୍ୟାପି ମେଲିଥିଲା ମନୋରଂଜନର ପସରା । ସକାଳୁ ସକାଳୁ ଭୁବନେଶ୍ୱରକୁ ପ୍ରବଳ ଶୀତ ଓ କୁହୁଡି ପୁରା ଆଚ୍ଛାଦନ କରି ରଖିଥିଲା । ଭୋର ସାଢେ 5 ଟାରୁ ଗର୍ଜିଥିଲା ବିଏମ୍ ସି ପକ୍ଷରୁ ଆୟୋଜିତ ପଥ ଉତ୍ସବର ବକ୍ସ ସାଉଣ୍ଡ । ବକ୍ସ ସାଉଣ୍ଡ ଯେତିକି ଯେତିକି ଗର୍ଜନ କରୁଥାଏ, ଦର୍ଶକଙ୍କ ଭିଡ ସେତିକି ସେତିକି ଜମୁଥାଏ । ସକାଳ 6ଟା ବେଳକୁ ବରମୁଣ୍ଡା-ଜାଗମରା ନୂଆ ରାସ୍ତା ଲୋକାରଣ୍ୟ ହୋଇପଡିଥିଲା । ବିଏମ୍ ସି ପକ୍ଷରୁ ଅନୁଷ୍ଠିତ ଦ୍ୱିତୀୟ ପଥ ଉତ୍ସବରେ ଦୁଲୁକି ଥିଲା ବରମୁଣ୍ଡା-ଜାଗମରା ନୂଆରାସ୍ତା । ହଜାର ହଜାର ଲୋକଙ୍କର ସୁଆ ଛୁଟିଥିଲା । 30 ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବହୁ କର୍ପୋରେଟର ମଂଚାସୀନ ଥିଲେ । 2025-26 ମସିହାର ଏହି ଦ୍ୱିତୀୟ ପଥ ଉତ୍ସବ ମଞ୍ଚ ଉପରେ ରଖାଯାଇଥିବା ଗଛରେ ପାଣି ଦେଇ ଅତିଥିମାନେ ସବୁଜ ଭୁବନେଶ୍ୱରର ବାର୍ତ୍ତା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥିମାନଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ପଥ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ । ମଂଚ ଉପରକୁ ପ୍ଲେ ବ୍ୟାକ୍ ସିଙ୍ଗର ଦୀପ୍ତିରେଖା ପାଢୀ ଉଠିବା ମାତ୍ରେ ମତୁଆଲ୍ଲା ହୋଇଉଠିଥିଲେ ଦର୍ଶକ ।
ଭୁବନେଶ୍ୱରକୁ ସରସ ସୁନ୍ଦର ଚିତ୍ତାକର୍ଷକ କରିବାକୁ ହେଲେ, ଆମକୁ ସ୍ୱଚ୍ଛ, ସବୁଜ ଓ ସଚେତନ ହେବାକୁ ପଡିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂପ୍ରତି ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି । ସେଥିପାଇଁ ଭୁବନେଶ୍ୱରବାସୀ ସଚେତନ ହେବାକୁ ଆହ୍ନାନ ଦେଇଥିଲେ ଉପସ୍ଥିତ ଅତିଥି ବୃନ୍ଦ । ଆଜିର ମଣିଷ କର୍ମତତ୍ପରତା ମଧ୍ୟରେ ବୁଡି ରହି ମନୋରଂଜନଠାରୁ ଦୂରେଇ ଯାଉଛି । କର୍ମର ଚାପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି। ସେହି କର୍ମମୟ ଜୀବନରୁ ଟିକିଏ ସମୟ ବାହାର କରି ମନୋରଂଜନର ଖୋରାକ ଯୋଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତପକ୍ଷ ତିନୋଟି ଜୋନରେ ଏହିପରି ପଥ ଉତ୍ସବ ଆୟୋଜନ କରିଆସୁଛନ୍ତି ବୋଲି କହିଥିଲେ ମାନନୀୟା ମେୟର ।
ଚଳିତ ଶୀତ ଋତୁରେ ମାଷ୍ଟର କ୍ୟାଣ୍ଟିନଠାରେ ଅନୁଷ୍ଠିତ ପ୍ରଥମ ପଥ ଉତ୍ସବ ଅପେକ୍ଷା ଆହୁରି ରଙ୍ଗାରଙ୍ଗ ତଥା ନୂଆ ନୂଆ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ କରାଯାଇଥିଲା । ବିଶେଷ କରି ଛୋଟ ଛୋଟ ଶିଶୁଙ୍କ ପାଇଁ ଏଥର ଅଧିକ ଖେଳକୁଦ ବ୍ୟବସ୍ଥା ହୋଇଥିଲା । ବିଭିନ୍ନ ସ୍ଥାନରେ ଲାଗିଥିବା ଫେସ୍ ପେଣ୍ଟିଂ ଷ୍ଟଲରେ ଯେତିକି ଭିଡ ଜମିଥିଲା, ତାଠାରୁ ଆହୁରି ଭିଡ ଜମିଥିଲା ଚିତ୍ରାଙ୍କନ ଷ୍ଟଲଗୁଡିକରେ । କୁନି କୁନି ଶିଶୁମାନେ ଚିତ୍ରାଙ୍କନ କରିବା ପାଇଁ ଠାଆକୁ ଠଆ ଧାଡିବାନ୍ଧି ବସିପଡିଥିଲେ । ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ରଙ୍ଗ ବେରଙ୍କ ଝୋଟିରେ ପୁରା ରାସ୍ତା ରଙ୍ଗୀନ ହୋଇଉଠିଥିଲା ।
ଭୁବନେଶ୍ୱରରେ ରହିଥିବା ଲୁକାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଦୁଇ ଦୁଇଟି ଭୁବେନେଶ୍ୱର ଗଟ୍ ଟ୍ୟାଲେଣ୍ଟ ମଞ୍ଚରେ ଧୁମ୍ ମଚାଇଥିଲେ ଭୁବନେଶ୍ୱରବାସି । ଶହ ଶହ ଶିଶୁ, କିଶୋର, କିଶୋରୀ, ଯୁବକ, ଯୁବତୀ ମଞ୍ଚ ଦୁଲୁକେଇ ଦେଇଥିଲେ । ହଜାର ହଜାର ଦର୍ଶକଙ୍କ କରତାଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । କେବଳ ସେତିକି ନୁହେଁ, ଦ୍ୱିତୀୟ ମଞ୍ଚରେ ମଧ୍ୟ ଡିଜେର ତାଳେ ତାଳେ ମତୁଆଲ୍ଲା ହୋଇଥିଲେ ଦେଖଣାହାରୀ । ପାରମ୍ପାରିକ ନୃତ୍ୟ, ଗୀତ ଓ ଖେଳକୁଦ ସହ ମାଲଖମ୍ବ, ଯୋଗ, କିଡ୍ସ କିଙ୍ଗଡମ୍, ପଜଲ ଗେମ୍, ଲୁଡୁ, ବାଘ ନାଚ ଓ 360 ଡିଗ୍ରୀ କ୍ୟାମେରାର ମଜ୍ଜା ନେଇଥିଲେ ଭୁବନେଶ୍ୱରବାସି । ସାଇକେଲିଂ, ସ୍କେଟିଂ ସହ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଖେଳକୁଦର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ 1 କିଲୋମିଟର ବ୍ୟାପି ରାସ୍ତା କିଛି ସମୟ ପାଇଁ ଏକ ମେଳାର ଭ୍ରମ ସୃଷ୍ଟି କରିଥିଲା ।
ପ୍ରଥମ ମଂଚରେ ପ୍ଲେ ବ୍ୟାକ୍ ସିଙ୍ଗର ଦୀପ୍ତୀରେଖା ପାଢୀ, ଜୟଶ୍ରୀ ଧଳ ଓ ନାରାୟଣ ଦତ୍ତଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ମାଘମାସର ହାଡଭଙ୍ଗା ଜାଡରେ ଭରପୁର ମଜ୍ଜା ଉଠାଇଥିଲେ ଦେଖଣାହାରୀ । ଉପସ୍ଥିତ ଦର୍ଶକ ଗୀତର ତାଳେ ନାଚି ନାଚି ବେଦମ୍ ହୋଇପଡିଥିଲେ ।
ଏହା ବ୍ୟତୀତ ପଥପ୍ରାନ୍ତ ନୃତ୍ୟ, ପାରମ୍ପାରିକ ନୃତ୍ୟର କଳାକାରଙ୍କ ସହ ସେଲ୍ଫି ନେବାକୁ ଭୁଲି ନଥିଲେ ଦେଖଣାହାରୀ । ମଂଚ ଓ ମଂଚ ବାହାରେ ଚାଲିଥିବା ବିଭିନ୍ନ ଦୃଶ୍ୟକୁ ନିଜ ମୋବାଇଲରେ ବାନ୍ଧି ରଖିବାକୁ ଦେଖଣାହାରୀଙ୍କ ମଧ୍ୟରେ ଚାଲିଥିଲା ପ୍ରବଳ ପ୍ରତିଯୋଗିତା। । କେହି କେହି ନିଜ ନିଜ ଚ୍ୟାନେଲରେ ଲାଇଭ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।
ଧନ୍ୟବାଦ ଦେଇଥିଲେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଏବଂ ଶ୍ରୀ କୈଳାସ ଚନ୍ଦ୍ର ଦାସ l ଟିମ୍ ବି ଏମ୍ ସି ର ସମସ୍ତ କର୍ମଚାରୀ ଭିନ୍ନ ଦାୟିତ୍ଵ ସୂଚାରୁ ରୂପେ ନିଭାଇଥିଲେ ସଫେଇ କର୍ମୀଙ୍କ ସହଯୋଗରେ ସଙ୍ଗେ ସଙ୍ଗେ ସଫେଇ କରଯାଇଥିଲା ପଥ ଉତ୍ସବ ସ୍ଥଳ । ଫ୍ରେବୃଆରୀ 1 ତାରିଖ ରବିବାର ସକାଳୁ ଇମ୍ଫୋସିଟିଠାରେ ହେବ ଚଳିତ ଶୀର ଋତୁର ଶେଷ ପଥ ଉତ୍ସବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା