
ନୂଆପଡା, ୧୮ ଜାନୁଆରୀ (ହି.ସ.)- ନୂଆପଡ଼ାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଗ୍ରାମୋଦୟ ସମୀକ୍ଷା ବୈଠକ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସମ୍ବୋଧନ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବାମପନ୍ଥୀ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡିକର ବିକାଶ ପାଇଁ ଏବଂ ଏଠାରେ ସମସ୍ତ ସରକାରୀ ଯୋଜନାର ପରିପୂର୍ଣତା ପାଇଁ କେନ୍ଦ୍ର ସରକାର ଦ୍ବାରା ଗ୍ରାମୋଦୟ ଯୋଜନା ପରିଚାଳିତ ହେଉଛି l ନକ୍ସଲବାଦ ଦ୍ବାରା ପ୍ରଭାବିତ ବିପଦକୁ ସମଗ୍ର ଭାବରେ ସମାଧାନ କରିବାକୁ ଓଡିଶା ସରକାର ମଧ୍ୟ ପ୍ରତିବଦ୍ଧ। ଏଥିପାଇଁ ରାଜ୍ୟର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଗ୍ରାମଗୁଡିକରେ ଉନ୍ନତି ବିଧାନ ପାଇଁ ପରିପୁର୍ଣତା ଭିତ୍ତିରେ ବିଭିନ୍ନ ଜନହିତକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନୂଆପଡା ଜିଲ୍ଲାରେ ମଧ୍ୟ ଗ୍ରାମୋଦୟ ଯୋଜନା ଗ୍ରହଣ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସ ବୃଦ୍ଧି କରିବା ପାଇଁ ବିଭିନ୍ନ ମୌଳିକ ସୁବିଧା ଓ ଜନକଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା । ଏଠାରେ ସାର୍ବଜନୀନ ଭିତ୍ତିଭୂମି, ସେବା ଏବଂ ଜୀବିକା ସହାୟତା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ଦୂର କରିବା । ଏହି ଯୋଜନାର ମୁଖ୍ୟ ଦୁଇଟି ଉପାଦାନ ହେଲା ସାମୁହିକ ଏବଂ ଗ୍ରାମ ସ୍ତରରେ ବିଭିନ୍ନ ସୁବିଧା ପ୍ରଦାନ କରିବା । ପ୍ରତ୍ୟେକ ବ୍ୟକ୍ତି ଓ ପରିବାରଗୁଡିକୁ ବିଭିନ୍ନ ସୁବିଧା ପ୍ରଦାନ । ଏହି କ୍ରମରେ ଜିଲ୍ଲାପାଳ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଜୟ ପରିଚାଳନା ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଶକ୍ତି ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟୁତ୍ ବିଭାଗ, ଜଳ ଓ ପରିମଳ ଇତ୍ୟାଦି ବିଭାଗର ସଂପୃକ୍ତ ଅଂଚଳରେ ଗ୍ରହଣ କରାଯାଇଥିବା ପ୍ରକଳ୍ପ ଏବଂ ପଦକ୍ଷେପ ଗୁଡ଼ିକର ସମିକ୍ଷା କରିଥିଲେ l ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ଏହି ଅଞ୍ଚଳ ଗୁଡ଼ିକର ବିକାଶ ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
ଆଜିକାର ବୈଠକରେ ଏପିଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଧନେଶ୍ୱର ସେଠୀ, ସମସ୍ତ ବିଡ଼ିଓ, ଜିଲ୍ଲା ସ୍ତରୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ