
ମାଲକାନଗିର, ୧୮ ଜାନୁଆରୀ(ହି.ସ.) – ସ୍ୱଚ୍ଛ ଭାରତ, ସବୁଜ ପରିବେଶ-ନାରା ଉଚ୍ଚାରଣରେ ସରକାର ଓ ପ୍ରଶାସନ ଯେତେ ଆଗୁଆ, ବାସ୍ତବ ଚିତ୍ର ତାହାର ସଂପୂର୍ଣ୍ଣ ବିପରୀତ। କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ଭି–୭୯ ଗ୍ରାମକୁ ପ୍ରବେଶ କରିବା ପ୍ରମୁଖ ରାସ୍ତା ଏବେ ଅଳିଆ ଆବର୍ଜନାର ଢେରରେ ପରିଣତ ହୋଇଛି। ଏମଭି–୧୨୭ ଗ୍ରାମରୁ ଏମ୍ଭି–୭୯କୁ ଯୋଗାଯୋଗ କରୁଥିବା ଏହି ରାସ୍ତାର ଉଭୟ ପାର୍ଶ୍ୱରେ ପ୍ଲାଷ୍ଟିକ, ଘରୋଇ ଆବର୍ଜନା ଓ ବସ୍ତା ବସ୍ତା ଅଳିଆ ପଡ଼ିରହିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସକାଳବେଳେ ପ୍ରାତଃଭ୍ରମଣ କିମ୍ବା ଦୈନନ୍ଦିନ ଯାତାୟାତ ସମୟରେ ଏହି ରାସ୍ତାଦେଇ ଯିବା ଅସହ୍ୟ ହୋଇପଡ଼ୁଛି। ତୀବ୍ର ଦୁର୍ଗନ୍ଧରୁ ନାକରେ ରୁମାଲ ଦେଇ ଚାଲିବାକୁ ପଡ଼ୁଛି। ଅବ୍ୟବସ୍ଥା ଯୋଗୁ ଏହି ପ୍ରବେଶ ପଥ ଏକ ପ୍ରକାର ‘ଡମ୍ପିଂ ଜୋନ୍’ର ଆକାର ନେଇଛି।
ଖାଲି ଜାଗା ଦେଖି ନିର୍ବିଘ୍ନରେ ଅଳିଆ ପକେଇ ଯାଉଥିବା ପ୍ରବୃତି ଯୋଗୁ ଦିନକୁ ଦିନ ପରିସ୍ଥିତି ଆହୁରି ଭୟାବହ ହେଉଛି। ଶୀତ ଋତୁରେ ଯଦି ଏହି ଅବସ୍ଥା, ତେବେ ଆସନ୍ତା ବର୍ଷା ଦିନରେ ଡ୍ରେନ୍ ବନ୍ଦ ହୋଇ ଜଳାବଦ୍ଧତା ସୃଷ୍ଟି ହେବାର ଆଶଙ୍କାକୁ ନେଇ ଗ୍ରାମବାସୀ ଆତଙ୍କିତ।
ସ୍ଥାନୀୟ ସୂତ୍ର ଅନୁଯାୟୀ, ଘରୋଇ ଆବର୍ଜନା ସହ ସନ୍ଧ୍ୟା ପରେ ନିକଟସ୍ଥ ହୋଟେଲ୍, ମାଛ ଦୋକାନ, ମାଂସ ଦୋକାନ ଓ କିଛି ବ୍ୟବସାୟିକ ପ୍ରତିଷ୍ଠାନର ଅଳିଆ ମଧ୍ୟ ଏହି ସ୍ଥାନରେ ଫିଙ୍ଗାଯାଉଛି। ଏପରିକି ନିକଟରେ ଥିବା ମଶାଣି ପାଖକୁ ମଧ୍ୟ ଅଳିଆ ଫିଙ୍ଗାଯାଉଥିବା ଅଭିଯୋଗ ମିଳିଛି। ଅନ୍ୟପଟେ, ସନ୍ଧ୍ୟା ହେଲେ ଏହି ଅଂଚଳ ଅସାମାଜିକ ତତ୍ୱଙ୍କ ଆଡାସ୍ଥଳୀରେ ପରିଣତ ହେଉଛି। ଅନ୍ଧାରିଆ ଓ ଅବ୍ୟବସ୍ଥିତ ପରିବେଶର ସୁଯୋଗ ନେଇ କିଛି ଯୁବକ ନିଶାପାନ, ମାରପିଟ୍ ଓ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ଆସୁଛି। ରାତି ହେଲେ ଅପରାଧୀୟ କାର୍ଯ୍ୟକଳାପ ଘଟିବା ଆଶଙ୍କାକୁ ନେଇ ଅଂଚଳବାସୀ ଭୟରେ ଅଛନ୍ତି।
ଏହି ଗୁରୁତର ସମସ୍ୟା ଉପରେ ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଅଳିଆ ସଫା, ନିୟମିତ ନିରୀକ୍ଷଣ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ