
ନୂଆପଡ଼ା, ୧୮ ଜାନୁଆରୀ(ହି.ସ.) – ନୂଆପଡା ଜିଲ୍ଲା ସଦର ମହକୁମାରେ ଜାତୀୟ ଭୋଟର ଦିବସ– ୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଧୁସୂଦନ ଦାଶ, ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଆସନ୍ତା ତା ୨୫.୦୧.୨୦୨୬ରିଖ ଦିନ ପାଳିତ ହେବାକୁ ଥିବା ଜାତୀୟ ଭୋଟର ଦିବସର ଗୁରୁତ୍ୱ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ। ବିଶେଷ କରି ଯୁବ ଓ ପ୍ରଥମ ଥର ଭୋଟରମାନଙ୍କ ମଧ୍ୟରେ ଭୋଟର ସଚେତନତା ସୃଷ୍ଟି ପାଇଁ ସମନ୍ୱିତ ଓ ସମୟୋଚିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ କ୍ଷ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ଭୋଟର ଦିବସ ଜିଲ୍ଲା ମୁଖ୍ୟାଳୟ ଠାରେ ପାଳନ କରାଯିବ। ଏହି ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏସପି ଅଫିସ ଯାଏଁ ଏବଂ ସେଠାରୁ ସଦ୍ଭାବନା ସଭାଗୃହ, ଯେଉଁଠି ସଭା ଅନୁଷ୍ଠିତ ହେବ, ସେହି ପର୍ଯ୍ୟନ୍ତ ଏକ ଭୋଟର ସଚେତନତା ରାଲି ଆୟୋଜନ କରାଯିବ କ୍ଷ ଜିଲ୍ଲା କ୍ରୀଡା ଅଧିକାରୀ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଲିରେ ଶତାଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରାଯିବ। ଦିବସ ଅବସରରେ ଉଭୟ ନିର୍ବାଚନ ମଣ୍ଡଳୀରୁ ଶ୍ରେଷ୍ଠ ନିର୍ବାଚନ କର୍ମଚାରୀଙ୍କ ଚୟନ କରାଯାଇ ସମ୍ୱର୍ଦ୍ଧିତ କରାଯିବ। ଏଥିପାଇଁ ଜଣେ ଲେଖାଏଁ ଶ୍ରେଷ୍ଠ ବିଏଲଓ, ବିଏଲ ଓ ସୁପରଭାଇଜର ଏବଂ ଏ ଇ ଆର୍ଓଙ୍କୁ ସମ୍ମାନିତ କରାଯିବ। ଏହାବ୍ୟତୀତ ଦୁଇଜଣ ନୂତନ ଭୋଟର ଓ ଦୁଇଜଣ ଶତାୟୁ ଭୋଟର, ଉଭୟ ପୁରୁଷ ଓ ମହିଳା ବର୍ଗରେ ସମ୍ମାନିତ କରାଯିବ। ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୁଇଜ୍, ତର୍କ ଓ ନିବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ। ସଭାରେ ଭୋଟର ଶପଥ ଗ୍ରହଣ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ହେବ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଉପ- ଜିଲ୍ଲାପାଳ ସୁର୍ମି ସୋରେନ୍ ସମଗ୍ର କାର୍ଯ୍ୟକ୍ରମର ନିରୀକ୍ଷଣ କରିବେ। ଆଜିକାର ବୈଠକରେ ଏମାନଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ ଦ୍ୱାରିକା ନାଥ ଶତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଡିଏସପି ରମାକାନ୍ତ ଜେନା, ବିଡିଓ ରୋହିତ ଭୋଇ, ଅଧ୍ୟକ୍ଷ ଡିଆଇଇଟି ନରୋତମ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ନୂଆପଡା ଏନ୍ଏସିଇଓ ଶ୍ରୀନିବାସ ମିର୍ଦ୍ଧା, ଟିଏସଆଇ ପ୍ରଜ୍ଞା ପରିମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ଭୋଟର ଦିବସ ଅବସରରେ ଜନ ସାଧାରଣଙ୍କୁ ଭୋଟଦାନର ମହତ୍ୱ ସମ୍ବନ୍ଧରେ ସଚେତନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ