
ନୂଆପଡ଼ା, ୧୮ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ସଫଳ ଚାଷୀ ସମ୍ମାନରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଆଜି ସମ୍ମାନିତ କରାଯାଇଥାଏ। ଏହି କୃଷି ଯନ୍ତ୍ରପାତି ମେଳାର ଆଜିର ଦିବସରେ ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରତିଭା ସମ୍ମାନ ଉତ୍ସବ। ଏଠାରେ ନୂଆପଡା ବ୍ଲକ ସାହିପଳା ଗ୍ରାମର ସମ୍ପୂର୍ଣ ଭାବରେ ମୁକ ଓ ବଧିର ଦୁଇ ଭଉଣୀ ରୁକ୍ମଣୀ ପଟେଲ ଓ ଭଗବତୀ ପଟେଲଙ୍କୁ ଅତିଥି ମାନେ ସଫଳ ଚାଷୀ ହିସାବ ସମ୍ମାନିତ କରିଥିଲେ। ସାହିପଳା ଗ୍ରାମର ବେଣୁଧର ପଟେଲ ଓ ପ୍ରତିମା ପଟେଲଙ୍କ ଦୁଇଝିଅ ରୁକ୍ମଣୀ ଓ ଭଗବତୀ ଜନ୍ମରୁ ମୁକ ଓ ବଧିର କ୍ଷ ଯେତେବେଳେ ବେଣୁଧର ଏହା ଜାଣି ପାରିଲେ, ସେ ଭଗବାନଙ୍କୁ ଗାଳି କରିବା ସହିତ ନିଜକୁ ହତଭାଗା ମନେ କରିଥିଲେ। କିନ୍ତୁ ଆଜି ସେହି ଦୁଇ ଭଉଣୀ ତାଙ୍କର ତିନି ଏକର ଜମିରେ ସଫଳତାର ସହିତ ମାଣ୍ଡିଆ, କପା, ମିଠା ମକା, ପନିପରିବା ଚାଷ କରିବା ସହିତ ଅନ୍ୟମାନଙ୍କ ଜମିକୁ ମଧ୍ୟ ଲିଜ ସୂତ୍ରରେ ନେଇ ବିଭିନ୍ନ ଚାଷ କରୁଛନ୍ତି। ସେମାନେ ନିଜେ ପାୱାର ଟିଲର, ପାୱାର ୱିଡର ଚଳେଇବା ସହିତ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର କରି, ବିନା ଶ୍ରମିକ ସହାୟତାରେ ନିଜର ସବୁକାମ କରି ପାରୁଛନ୍ତି। ଚାଷ ସହିତ ଗୋପାଳନ, ଛେଳି ପାଳନ, ବଛତୁ ଚାଷକୁ ଆପଣେଇ ନେଇ ବର୍ଷକୁ ପାଂଚ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରୁକ୍ମଣୀ ଓ ଭଗବତୀଙ୍କୁ ନୂଆପଡା ଜିଲ୍ଲାର ସମସ୍ତ ଚାଷୀ ମାନଙ୍କ ପାଇଁ ପ୍ରେରଣା ବୋଲି ସମାରୋହରେ ଉଦ୍ୱୋଧନ ଦେବା ସହିତ କୃଷି ବିଭାଗ ତରଫରୁ ସମ୍ମାନିତ କରିଥିଲେ। ତତ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରେ କୃଷକ ଶ୍ରମିକ ମାନେ ଦାଦନ ଖଟିବାକୁ ନ ଯାଇ କୃଷି ତଥା ଆନୁଷଙ୍ଗିକ କୃଷି ଭିତିକ ଉଦ୍ୟୋଗ କରି ଏହି ମାଟିରେ ରୋଜଗାର ପନ୍ଥା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଜି କୃଷି ବିଭାଗ ତରଫରୁ ମୁକ ଓ ବଧିର ଚାଷୀ ଭଉଣୀମାନଙ୍କୁ ସମ୍ମାନିତ କରାଯିବା ବିଷୟ ନୂଆପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହେବା ସହିତ ସବୁ ମହଲରେ ପ୍ରଶଂସା ଲାଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ