
ବଲାଙ୍ଗିର, ୧୮ ଜାନୁଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲାର ପଥରଚେପା ସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପଞ୍ଚବଟୀ ଉଦ୍ୟାନରେ ବଲାଙ୍ଗିର ମହିଳା କାବ୍ୟ ମଞ୍ଚର ଏକ ବନ୍ଧୁମିଳନ ସହ କବିତା ଆସର ବହୁ ଆଡମ୍ବର ଓ ଉତ୍ସାହର ସହିତ ସଫଳତାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ନାରୀ ସଶକ୍ତିକରଣର ଏକ ମଞ୍ଚ ଭାବେ ପରିଚିତ ଏହି କାବ୍ୟ ମଞ୍ଚର କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କ ମନରେ ଛାପ ଛାଡ଼ିଥିଲା। କାର୍ଯ୍ୟକ୍ରମଟି ମହିଳା କାବ୍ୟ ମଞ୍ଚର ସଭାପତି ଅଲ୍ହାଦିନୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ। ସମ୍ମାନିତ ଅତିଥି ଆସନରେ ସମାଜସେବୀ ତଥା କୃଷକ ନେତା ଅରୁଣ କୁମାର ମିଶ୍ର, ସମାଜସେବୀ ଓ ନାରୀ କବି ସୁଷମା ବେହେରା ଏବଂ ଅନୁଷ୍ଠାନର ସମ୍ପାଦିକା ତୃପ୍ତିମୟୀ ତ୍ରିପାଠୀ ଉପସ୍ଥିତ ଥିଲେ।
ଆରମ୍ଭରେ କବିତା ମିଶ୍ର ଅତିଥିମାନଙ୍କ ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହିଳା କାବ୍ୟ ମଞ୍ଚର ସାହିତ୍ୟିକ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜିତ ମଞ୍ଚ ସଞ୍ଚାଳନ କବି ଦିଲୀପ କୁମାର ମିଶ୍ର କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଲିକା ସାହୁ ନିଜ ଉଦବୋଧନରେ ନାରୀମାନଙ୍କ ଏପରି ସାହିତ୍ୟିକ ଏକତାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମହିଳାମାନେ ଯେତେବେଳେ ଏକତ୍ରିତ ହୋଇ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗେଇ ନେବାକୁ ପ୍ରୟାସ କରନ୍ତି, ସେଥିରୁ ସମାଜର ସାମଗ୍ରିକ ବିକାଶ ସମ୍ଭବ ହୁଏ। ଏପରି କାର୍ଯ୍ୟକ୍ରମ ଓଡ଼ିଆ ଭାଷା ଓ ସାହିତ୍ୟର ସଂରକ୍ଷଣ ସହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଅରୁଣ କୁମାର ମିଶ୍ର ଓ ଶ୍ରୀମତୀ ସୁଷମା ବେହେରା ମଧ୍ୟ ନାରୀମାନଙ୍କ ଏହି ସାହିତ୍ୟିକ ଏକତା ଓ ସୃଜନାତ୍ମକ ପ୍ରୟାସକୁ ପ୍ରଶଂସା କରି ଏପରି କାର୍ଯ୍ୟକ୍ରମ ନିରନ୍ତର ହେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରଭାସିନୀ ଭୋଇ, ପୁଷ୍ପାଞ୍ଜଳୀ ମେହେର, ସୁଜାତା ନାଏକ, ଶାଲିନୀ ସା, ସୁଷମା ଦାସ, ନିରୂପମା ମିଶ୍ର, ସୁଦେଷ୍ଣା ମିଶ୍ର, ଜ୍ୟୋତି ରାଣୀ ମିଶ୍ର, ପୂର୍ଣ୍ଣିମା ପଣ୍ଡା, ସରସ୍ୱତୀ ମିଶ୍ର, ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀ, ଶୁଭଶ୍ରୀ ଭୋଇ, ହିରବତୀ ସାହୁ ଓ ବିଷ୍ଣୁପ୍ରିୟା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ମହିଳା କାବ୍ୟ ମଞ୍ଚ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀମତୀ ଲିକା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କବିତା ପାଠ, ନାଚ ଓ ଗୀତ ପରିବେଶଣ ସହ ଦିନଟି ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦରେ କଟିଥିଲା। ଶେଷରେ ରାଜୀବ ଭୋଇ ସମସ୍ତ ଅତିଥି, କବି, କବୟିତ୍ରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ