
ସୁବର୍ଣ୍ଣପୁର, ୧୮ ଜାନୁଆରୀ(ହି.ସ.) – ସୋନପୁରରେ ଗଢ଼ି ଉଠିଥିବା ଲୋକପ୍ରିୟ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ବାର୍ଷିକ ଉତ୍ସବ “ଉତ୍ସାହ – ୨୦୨୬” ପାଳନ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଥମ ଦିନକୁ ସଫଳ କରିଛନ୍ତି। ମୁଖ୍ୟଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୂର୍ବତନ ଲୋକସଭା ସାଂସଦ ଡ. ପ୍ରଭାସ କୁମାର ସିଂ, ଡେପୁଟି ରେଜିଷ୍ଟର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡ. ଉମାଚରଣ ପତି, ବିଶିଷ୍ଟ ପ୍ରଫେସର କାଳିଦାସ ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ରଥ, ଅବସର ପ୍ରାପ୍ତ ଅଧ୍ୟାପକ ପ୍ର. ନୀଳାମ୍ବର ଶତପଥୀ, ଅବସର ପ୍ରାପ୍ତ ଅଧ୍ୟାପିକା ଡ. କଳ୍ପନା ମିଶ୍ର, ଯୁବନେତା ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଶୁଭସ୍ମିତା ପୁରୋହିତ ଓ ପ୍ରିୟଙ୍କାରାଣୀ ନେଗୀ ମଂଚ ପରିଚାଳନା କରିଥିଲେ। ମହାନଦୀ ଧାରାର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାର ଆଲୋଚନା ଚକ୍ରର ବିଷୟ “ବିକଶିତ ଭାରତ ପାଇଁ ଶିକ୍ଷାର କଳ୍ପନା” ଉପରେ ତତ୍ୱାବଧାନ କରିଥିଲେ। ଏହି ଅବସରରେ ମହାନଦୀ ଧାରା ତରଫରୁ ସ୍ୱର୍ଗତଃ ହର ପ୍ରସାଦ ରଥ ବିଶିଷ୍ଟ ଶିକ୍ଷାବିତଙ୍କୁ ମହାନଦୀ ଧାରା ଶିକ୍ଷା ସମ୍ମାନ ଏବଂ ସାଧୁ ପ୍ରଣବାନନ୍ଦ ଦାସଙ୍କୁ ମହାନଦୀ ଧାରା ସେବା ସମ୍ମାନ ଅର୍ପଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ. ସାହୁ ବିକଶିତ ଭାରତ ପାଇଁ ପାରମ୍ପରିକ ଶିକ୍ଷା ଓ ସଂସ୍କୃତିର ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଆଲୋଚନା ଚକ୍ରରେ ଥିବା ଅନ୍ୟ ଅତିଥି “ଜାତୀୟ ଶିକ୍ଷାନୀତି -୨୦୨୦” ର ମହତ୍ୱକୁ ତାଙ୍କର ଗଭୀର ବାର୍ତା ମାଧ୍ୟମରେ ଦର୍ଶାଇଥିଲେ ଏବଂ ବୃତିଗତ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଆତ୍ମନିର୍ଭରଶୀଳତା ଏବଂ ସର୍ବାଙ୍ଗୀନ ଶିକ୍ଷା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ପ୍ରଦାନ କଲେ। ସହ ପ୍ରତିଷ୍ଠାତା ଶ୍ରୀମତୀ ଆଭା ପୂଜାରୀ ଏହି ଉତ୍ସାହରେ ମହାନଦୀ ଧାରାର ବାର୍ଷିକ ବିବରଣୀରେ ଏହି ଅନୁଷ୍ଠାନର ଗତବର୍ଷର ଛାତ୍ରଛାତ୍ରୀମାନଙ୍କର ରାଜ୍ୟସ୍ତରରେ ଯୁକ୍ତ ଦୁଇ କଳାରେ ସଫଳତାକୁ ଦର୍ଶାଇଥିଲେ। ଉତ୍ସାହ ୨୦୨୬ର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ମହାନଦୀ ଧାରାର ନୂଆ ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା। ସଭା ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ