
ଧର୍ମଶାଳା, ୧୮ ଜାନୁଆରୀ(ହି.ସ.) – ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବ ପଡ଼ିଆରୁ ସୋମବାର ଦିନ ପୁରୀକୁ ବସ୍ ଯୋଗେ ତୀର୍ଥ ଯାତ୍ରୀ ନେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଆଜି ଜାରକା ଠାରେ ବରିଷ୍ଠ ବିଜେପି କର୍ମକର୍ତା ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଗତ ବର୍ଷ ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବସ୍ ଯୋଗେ ପୁରୀ ତୀର୍ଥଯାତ୍ରା ଆରମ୍ଭ କରାଯାଇଥିବାବେଳେ ଚଳିତ ବର୍ଷ ମଧ୍ୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପଂଚାୟତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଯିବା ପାଇଁ ସ୍ଥିର କରାଯାଇଛି। ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚଳିତ ମାସ ୧୯ ତାରିଖରୁ ଶୁଭାରମ୍ଭ ହେଉଥିବା ପୁରୀ ତୀର୍ଥ ଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଶ୍ରଦ୍ଧାଳୁମାନେ ପର୍ଯ୍ୟାୟକ୍ରମେ ଟ୍ରଷ୍ଟ ସହାୟତାରେ ଜାରକାସ୍ଥିତ ମହୋତ୍ସବ ପଡ଼ିଆକୁ ଆସି ସେଠାରୁ ବସ୍ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ ନିମନ୍ତେ ଯିବା ଲାଗି ବ୍ୟବସ୍ଥା କରାଯାଇଛି। ୧୯ ତରିଖ ସକାଳ ୭ ଘଟିକାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା, ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ବସ୍ ଯୋଗେ ପୁରୀକୁ ତୀର୍ଥଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ପୁରୀରେ ବିଶ୍ରାମ ନେବା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଶ୍ରଦ୍ଧାଳୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷାଲାଗି ଏକ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୧୯ ତାରିଖ ଠାରୁ ପ୍ରତ୍ୟେକ ଦିନ ୨ଟି ଲେଖାଏଁ ପଂଚାୟତର ଶ୍ରଦ୍ଧାଳୁମାନେ ଜାରକା ମହୋତ୍ସବ ପଡ଼ିଆରେ ପହଂଚି ପୁରୀ ଅଭିମୁଖେ ଯିବା ଲାଗି ବ୍ୟବସ୍ଥା କରଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତରୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅଂଶୁମାନ ଟ୍ରଷ୍ଟର କର୍ମକତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ