
ଭୁବନେଶ୍ୱର, 19 ଜାନୁଆରୀ (ହି.ସ.) ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଆଜି ଲୋୟର ପିଏମଜିଠାରେ ମନରେଗା ବଞ୍ଚାଅ ସତ୍ୟାଗ୍ରହ ଅନୁଷ୍ଠିତ ହେବ l ଏହି ପରିପେକ୍ଷୀରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ କହିଲେ, ଗତ ସଂସଦୀୟ ଅଧିବେଶନରେ ଭାରତ ସରକାର ଐତିହାସିକ ଆଇନ ମନରେଗାକୁ ବିକୃତ ଏବଂ କଦାକାର କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦେଇଛନ୍ତି ଯାହା ସମଗ୍ର ଭାରତବର୍ଷ ପାଇଁ ଏକ ନିନ୍ଦନୀୟ ଘଟଣା l କେବଳ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦିଆଯାଇ ନାହିଁ ଆଇନରେ ଥିବା ବିଭିନ୍ନ ନିୟମ ଗୁଡିକୁ ନଷ୍ଟ କରି ଦିଆଯାଇଛି l ମହାତ୍ମା ଗାନ୍ଧୀଙ୍କର ପ୍ରମୁଖ ବାର୍ତ୍ତା ଥିଲା, ଗାଁ ସଶକ୍ତ ହେଲେ ଦେଶ ସଶକ୍ତ ହେବ l ସେଥିପାଇଁ, 2005 ମସିହାରେ ତତ୍କାଳୀନ ମନମୋହନ ସରକାର ଗ୍ରାମର ଲୋକମାନଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କର ରୋଜଗାରକୁ ବୃଦ୍ଧି କରିବା ପାଇଁ ଏହି ମନରେଗା ଆଇନ ପ୍ରଣୟନ କରିଥିଲେ ଯାହା ପର୍ଯାୟକ୍ରମେ 12 କୋଟି ପରିବାରଙ୍କୁ କର୍ମ ସଂସ୍ଥାନ ଯୋଗାଇବା ସହ ସେମାନଙ୍କର କ୍ରୟଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିଲା ଏବଂ ଭାରତର ବିକାଶରେ ମନରେଗା ଆଇନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା l ଏହି ଆଇନରେ କେନ୍ଦ୍ର ସରକାର 90% ଆର୍ଥିକ ସହାୟତା ରାଜ୍ୟକୁ ଦେଉଥିଲେ ଏବଂ ରାଜ୍ୟ 10% ବିନିଯୋଗ କରୁଥିଲା କିନ୍ତୁ ଜି ରାମ ଜି ଆଇନ ଅନୁସାରେ କେନ୍ଦ୍ର 60% ଓ ରାଜ୍ୟ 40% ଭାଗିଦାରୀ ରହିବ ଯାହା ଏକ ଅସମ୍ଭବ ବ୍ୟାପାର l ପରିତାପର ବିଷୟ, ମନରେଗାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିଲା l ତଳ ସ୍ତରରେ ଥିବା ଗରିବ ଲୋକମାନଙ୍କ ଦାବୀ ମୁତାବକ କର୍ମ ଯୋଗେଇ ଦେବାରେ ଏହି ଆଇନ ସମର୍ଥ ହେଉଥିଲା l ଯାହାକୁ ଜି ରାମ ଜି ଆଇନରେ ଏହି ଅଧିକାରକୁ ହଟାଇ ଦିଆଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ