ବେଙ୍ଗାଲୁରୁରେ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ, ଅନେକ ଆହତ : ଥାନା ବାହାରେ ପ୍ରତିବାଦ, ତିନି ଗିରଫ
ବେଙ୍ଗାଲୁରୁ, ୫ ଜାନୁଆରୀ (ହି.ସ.)- ରବିବାର ରାତିରେ ସିଲିକନ ସିଟିର ଜେଜେ ନଗର ଅଂଚଳର ଭିଏସ୍ ପାର୍କ ନିକଟରେ ଓମ୍ ଶକ୍ତି ମାଳାଧାରୀଙ୍କ ଶୋଭାଯାତ୍ରା ଉପରେ ହଠାତ୍ ପଥର ମାଡ଼ ହେବା ଫଳରେ ଦଳାଚକଟା ହୋଇଥିଲା । ଏହି ପଥର ଫିଙ୍ଗାରେ ଅନେକ ଲୋକ ଆହତ ହୋଇଥିଲେ । ଘଟଣା ପରେ ଅଂଚଳରେ ଉତେଜନା ବ୍ୟାପି ଯାଇଥିଲ
ବେଙ୍ଗାଲୁରୁରେ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ, ଅନେକ ଆହତ : ଥାନା ବାହାରେ ପ୍ରତିବାଦ, ତିନି ଗିରଫ


ବେଙ୍ଗାଲୁରୁ, ୫ ଜାନୁଆରୀ (ହି.ସ.)- ରବିବାର ରାତିରେ ସିଲିକନ ସିଟିର ଜେଜେ ନଗର ଅଂଚଳର ଭିଏସ୍ ପାର୍କ ନିକଟରେ ଓମ୍ ଶକ୍ତି ମାଳାଧାରୀଙ୍କ ଶୋଭାଯାତ୍ରା ଉପରେ ହଠାତ୍ ପଥର ମାଡ଼ ହେବା ଫଳରେ ଦଳାଚକଟା ହୋଇଥିଲା । ଏହି ପଥର ଫିଙ୍ଗାରେ ଅନେକ ଲୋକ ଆହତ ହୋଇଥିଲେ । ଘଟଣା ପରେ ଅଂଚଳରେ ଉତେଜନା ବ୍ୟାପି ଯାଇଥିଲା ଏବଂ ଅପରାଧୀମାନଙ୍କୁ ଗିରଫ କରିବା ଦାବି କରି କ୍ରୋଧିତ ଲୋକମାନେ ଜେଜେ ନଗର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି । ସାଂସଦ ଘଟଣାସ୍ଥଳ ପରିଦର୍ଶନ କରି ଏକ ଧାର୍ମିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ଉପରେ ନିଜର ଆପତି ପ୍ରକାଶ କରିଛନ୍ତି । ଘଟଣାରେ ଜଡ଼ିତ ତିନି ଜଣ ନାବାଳକ ପୁଅଙ୍କୁ ପୋଲିସ ଗିରଫ କରିଛି ।

ଜେଜେ ନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ଭିଏସ୍ ପାର୍କ ନିକଟରେ ଓମ୍ ଶକ୍ତି ମାଳାଧାରୀ ସମ୍ପ୍ରଦାୟର ସଦସ୍ୟମାନେ ଏକ ଶୋଭାଯାତ୍ରା କରୁଥିଲେ । ହଠାତ୍ କିଛି ଲୋକ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଅନ୍ଧାରରେ ଶୋଭାଯାତ୍ରାକାରୀଙ୍କ ଉପରେ ପଥର ଫିଙ୍ଗିବା ଦ୍ୱାରା ଅଂଚଳରେ ବ୍ୟାପକ ଚିତ୍କାର ଏବଂ ଅରାଜକତା ସୃଷ୍ଟି ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ, ଯେଉଁଥିରେ ଦୁଇ ଯୁବତୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତାକ୍ତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଘଟଣା ପରେ ତୁରନ୍ତ ଓମ୍ ଶକ୍ତି ମାଳାଧାରୀ ସମ୍ପ୍ରଦାୟର କ୍ରୋଧିତ ସଦସ୍ୟମାନେ ଜେଜେ ନଗର ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିଥିଲେ । ପ୍ରତିବାଦକାରୀମାନେ ଦୁର୍ବୃତ ମାନଙ୍କୁ ଗିରଫ କରିବାକୁ ଦାବି କରୁଥିଲେ ।

ସେମାନେ ଅଭିଯୋଗ କରିଥିଲେ ଯେ, ଅନ୍ୟ ସମ୍ପ୍ରଦାୟର ସଦସ୍ୟମାନେ ଜାଣିଶୁଣି ପଥର ଫିଙ୍ଗିଛନ୍ତି । ଜଣେ ପ୍ରତିବାଦକାରୀ କହିଛନ୍ତି ଯେ, ଏହି ଅଂଚଳରେ ଏପରି ପରିସ୍ଥିତି ହୋଇଛି ଯେଉଁଠାରେ ଲୋକମାନେ ପ୍ରତିଦିନ ଭୟରେ ରହୁଛନ୍ତି । ଦଙ୍ଗାକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍ । ଆହତ ମହିଳାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ଅନ୍ଧାରରେ ପଥର ଫିଙ୍ଗା ଯାଇଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଅସମ୍ଭବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande