
ପାନାଜୀ, 05 ଜାନୁଆରି (ହି.ସ.)- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଗୋଆରେ
ଭାରତୀୟ ତଟରକ୍ଷୀ ବଳର ପୋତ ‘ସମୁଦ୍ର ପ୍ରତାପ’ ର ଜଳାବତରଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ
କହିଛନ୍ତି ଯେ ‘ସମୁଦ୍ର ପ୍ରତାପ’ ନାମଟି ନିଜେ ଏହାର ଗରିମା ଓ ଶକ୍ତିର ପ୍ରତୀକ। ଏହି ଜାହାଜକୁ
କେବଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଡିଜାଇନ୍ କରାଯାଇନାହିଁ ବରଂ, ତଲାସୀ ଓ ଉଦ୍ଧାର
ଅଭିଯାନ, ତଟୀୟ ଗସ୍ତ ଏବଂ
ସମୁଦ୍ରୀୟ ସୁରକ୍ଷାକୁ ମଧ୍ୟ ଶକ୍ତିଶାଳୀ କରିବ।
ଏହି ଅବସରରେ ରକ୍ଷା ମନ୍ତ୍ରୀ ଭାରତୀୟ ତଟରକ୍ଷୀ ବଳର ଅଧିକାରୀ ଓ
ସେନାସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେମାନେ ସମୟ, ପାଣିପାଗ ଓ
ପରିସ୍ଥିତିର କୌଣସି ଖାତିର ନକରି ଦେଶର ସମୁଦ୍ରୀୟ ସୀମାର ସୁରକ୍ଷାରେ ସଦା ନିଯୁକ୍ତ ରହୁଛନ୍ତି, ଯାହା ଅତ୍ୟନ୍ତ
ପ୍ରଶଂସନୀୟ। ସେ ଗୋଆ ଶିପୟାର୍ଡ ଲିମିଟେଡର ଇଞ୍ଜିନିୟର ଓ କାର୍ମିକମାନଙ୍କୁ ମଧ୍ୟ ଏହି ବିଶାଳ
ପୋତ ନିର୍ମାଣ କରିଥିବାରୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ ଏହା ଭାରତର ପ୍ରଥମ ସ୍ୱଦେଶୀ ଭାବେ ଡିଜାଇନ୍
କରାଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ପୋତ ଏବଂ ଭାରତୀୟ ତଟରକ୍ଷୀ ବଳର ବେଡ଼ିରେ ଏପର୍ଯ୍ୟନ୍ତ
ସବୁଠାରୁ ବଡ଼ ଜାହାଜ। ଏହାର ଡିସ୍ପ୍ଲେସମେଣ୍ଟ ୪୧୭୦ ଟନ ଏବଂ ଲମ୍ବ ୧୫୦ ମିଟର। ଏହାର ସର୍ବାଧିକ
ଗତି ପ୍ରତି ଘଣ୍ଟା ୨୨ ନଟିକାଲ ମାଇଲ୍ ହେବ, ଯାହା ଏହାର ପରିଚାଳନା କ୍ଷମତାକୁ ପ୍ରଦର୍ଶନ କରେ। ଏଥିରେ ଉନ୍ନତ
ପ୍ରଦୂଷଣ ଚିହ୍ନଟ ପ୍ରଣାଳୀ, ନିର୍ଦ୍ଦିଷ୍ଟ
ପ୍ରଦୂଷଣ ପ୍ରତିକ୍ରିୟା ନୌକା ଏବଂ ଆଧୁନିକ ଅଗ୍ନିଶମନ କ୍ଷମତା ରହିଛି। ସେଥିପାଇଁ ଏଥିରେ
ହେଲିକପ୍ଟର ହ୍ୟାଙ୍ଗାର ଓ ଏଭିଏସନ ସମର୍ଥନ ସୁବିଧା ମଧ୍ୟ ଉପଲବ୍ଧ ଅଛି, ଯାହା ଏହାର ପହଞ୍ଚ
ଓ କାର୍ୟକ୍ଷମତାକୁ ଅନେକ ଗୁଣା ବଢ଼ାଇଦିଏ। ଏହି ସମସ୍ତ କ୍ଷମତା ଦ୍ୱାରା ଏହି ଜାହାଜ କଠିନ
ସମୁଦ୍ରୀୟ ପରିସ୍ଥିତିରେ ମଧ୍ୟ ଦୀର୍ଘ ସମୟ ରହି କାର୍ଯ୍ୟ କରିପାରିବ ଏବଂ ପ୍ରକୃତ ଅଭିଯାନରେ
ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା