

ସମ୍ବଲପୁର, ୦୬, ଜାନୁଆରି (ହି.ସ.) - ସମ୍ବଲପୁର ଲୋକ ମହୋତ୍ସବର ତୃତୀୟ ଦିବସ ଅବସରରେ ବୌଦ୍ଧିକ ତଥା ସାଂସ୍କୃତିକ ବାତାବରଣ ମଧ୍ୟରେ ପଶ୍ଚିମ ଓଡିଶାର ଲୋକକ୍ରୀଡ଼ା, ଲୋକ ଚିକିତ୍ସା ଓ ଲୋକ ଚିତ୍ରକଳା ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସମିତି ସଂଯୋଜକ ଦୀପକ କୁମାର ପଣ୍ଡା ମାଁ ସମଲେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ ସହ ନଡିଆ ଫଟାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ଆମ ଲୋକ ସଂସ୍କୃତିରେ ଯେଉଁ ବିଜ୍ଞାନ ରହିଛି ତାହା ଆମେ ନିଜେ ଜାଣିବା ଉଚିତ। ଓଡିଶାର ୮୫% ଶିଳାଚିତ୍ର ପଶ୍ଚିମ ଓଡିଶାର ସମ୍ବଲପୁର ଓ ସୁନ୍ଦରଗଡରେ ରହିଛି। ଡ଼ଃ ଶ୍ୟାମ ସୁନ୍ଦର ଧର ସଭାପତିତ୍ୱ ଓ ଆବାହକ ପ୍ରତୀପ କୁମାର ପଣ୍ଡା ସଂଯୋଜନା କରିଥିଲେ । ବିଶିଷ୍ଠ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା ଲୋକଚିତ୍ର କଳା ସମ୍ପର୍କରେ କହିଥିଲେ ଯେ, ଆମେ ଯେଉଁ ଚିତ୍ରକଳା କରୁଛେ ତାହାର ମାଧ୍ୟମ ଗୁଡିକୁ ଜାଣିବା ଉଚିତ। ଲୋକକଳା ଆମର ଘରେ ଘରେ ଅଛି। ଆଦିମ କାଳରୁ ମଣିଷ କୌଣସି ବସ୍ତୁରେ ଗାର ଟାଣିବା ଠାରୁ ଆରମ୍ଭ କରି ଶିଳାଚିତ୍ର ଜରିଆରେ ଭାବବ୍ୟକ୍ତ କରିବାର ପ୍ରୟାସରୁ ଏହି କଳା ବିକାଶ ଲାଭ କରିଛି। ପ୍ରାକ ଐତିହାସିକ ଯୁଗର ଶିଳାଚିତ୍ର ସହ ଆଦିବାସୀ ଚିତ୍ରକଳାର ମଧ୍ୟ କିଛି ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। ଘରେ କାନ୍ଥରେ ଓ ପର୍ବ ସମୟରେ ଦିଆଯାଉଥିବା ଝୋଟି ମେହେନ୍ଦି ମଧ୍ୟ ଏହି ଲୋକକଳା ଅନ୍ତର୍ଭୁକ୍ତ। କଳା ହେଉଛି ଏକ ପ୍ରକାର କୌଶଳ ଯାହା ପିଢିପିଢି ଧରି ଲୋକ ଅନୁକରଣ କରି ଆସୁଛି। ତେବେ ମୁରୁଜ ଦେବାର କଳା ବୌଦ୍ଧ ତନ୍ତ୍ରରୁ ଆସିଛି। ସପ୍ତପୁରୀ ଅମାବାସ୍ୟାରେ ପଶ୍ଚିମ ଓଡିଶାର ମୃଣ୍ମୟ କଳାର ସୁନ୍ଦର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ସେଇଭଳି ପାରମ୍ପରିକ କାଷ୍ଠଶିଳ୍ପର ଦୃଷ୍ଟାନ୍ତ ମଧ୍ୟ ଆମ ଅଂଚଳରେ ରହିଛି। ପଶ୍ଚିମ ଓଡିଶାର ତାସ ସଦୃଶ ଗଞ୍ଜପା ମଧ୍ୟ ଆମ ଲୋକ ଚିତ୍ରକଳାର ଏକ ବଳିଷ୍ଠ ଦୃଷ୍ଟାନ୍ତ। ତେନ୍ତୁଳି ଅଠା, ଖଡି ପଥର, ଗେରୁମାଟି ରଙ୍ଗ ତିଆରି କରି ଗେଙ୍ଗୁଟି ପଥର ଦେଇ ଏହା ତିଆରି ହେଉଥିଲା। ଡାଲଖାଇ କୁଠି, ମଙ୍ଗଳାକୁଠିର ଚିତ୍ର ମଧ୍ୟ ଆମ ପାରମ୍ପରିକ ଲୋକ କଳାର ପରିଚୟ ଦେଇଥାଏ।
ଅନ୍ୟତମ ଆଲୋଚକ ଅନୁରାଧା ପୁରୋହିତ ଲୋକ ଚିକିତ୍ସା ସମ୍ପର୍କରେ କହିଥିଲେ ଯେ, ଯେଉଁ ଚିକିତ୍ସାର ପଦ୍ଧତି ଆମେ କୌଣସି ଶାସ୍ତ୍ରର ଅନୁକରଣରେ ନକରି ପାରମ୍ପରିକ ରୀତିରେ ପ୍ରୟୋଗ କରି ଆସୁଛେ ସେହିଭଳି ଚିକିତ୍ସାମାନ ହିଁ ଲୋକ ଚିକିତ୍ସା ଅନ୍ତର୍ଭୁକ୍ତ। ଚିକତ୍ସା ପଦ୍ଧତି ଇଂରେଜମାନେ ଭାରତକୁ ଆସିବା ପରେ ପରିବର୍ତିତ ହୋଇଛି। ଆମ ଅଂଚଳରେ ବୌଦ୍ଧତନ୍ତ୍ରର ପ୍ରଖର ପ୍ରଚଳନ ରହିଥିଲା କ୍ଷ ଫଳତଃ ଏହି ତନ୍ତ୍ର ଚିକିତ୍ସାର ପ୍ରୟୋଗ ମଧ୍ୟ ଏଠାରେ ରହିଛି। ଆମ ଫୁକା ଝଡା ଏହାର ଏକ ଦୃଷ୍ଟାନ୍ତ। ସେ ଅନେକ ରୋଗର ଲୋକ ଚିକିତ୍ସାର ଉଦାହରଣ ଦେଇ ଆଲୋଚନା କରିଥିଲେ।
ସେହିପରି ପଶ୍ଚିମ ଓଡିଶାର ଲୋକ କ୍ରୀଡ଼ା ସମ୍ପର୍କରେ ଆଲୋଚକ ସ୍ୱୟଂପ୍ରକାଶ ପଣ୍ଡା କହିଥିଲେ ଯେ, ଖେଳର ବହୁତ ଉପକାରିତା ରହିଛି। ମାନସିକ ଚାପକୁ ଏହା କମାଇବା ସହ ନୂତନ ସୃଷ୍ଟି ନିମନ୍ତେ ସେ ମାନବକୁ ପ୍ରସ୍ତୁତ କରେ। ଘର ଭିତର ଓ ବାହାରର ଖେଳ ଏହା ସହ ପୁଅମାନଙ୍କ ଖେଳ, ଝିଅମାନଙ୍କ ଖେଳ, ଉଭୟଙ୍କ ଦ୍ୱାରା ଖେଳା ଯାଉଥିବା ଖେଳ ତଥା ଗୀତଯୁକ୍ତ ଓ ଗୀତ ରହିତ ଖେଳ ଭାବରେ ବିଭାଗୀକରଣ କରି ସେ ବିଭିନ୍ନ ଲୋକକ୍ରୀଡାର ଦୃଷ୍ଟାନ୍ତ ଦେଇ ତାଙ୍କ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏଥିରେ ସହ ଆବାହକ ସୌମିକ ବାବୁ ଓ ଭବତୋଷ ବିଶି , ମହୋତ୍ସବ କମିଟି ଉପଦେଷ୍ଟା ପ୍ରଫୁଲ୍ଲ କୁମାର ହୋତା, ସହ ସଂଯୋଜକ ସତ୍ୟରଞ୍ଜନ ବେହେରା, ନୋଡାଲ ଅଧିକାରୀ ରବିନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ