
ନୂଆପଡ଼ା, ୦୬ ଜାନୁଆରୀ(ହି.ସ.) – ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣା ଓ ନିର୍ଦ୍ଦେଶନାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ର, ଶିକ୍ଷା ବିଭାଗ ଓ ସହଯୋଗୀ ବିଭାଗମାନଙ୍କ ସାମୁହିକ ଉଦ୍ୟମରେ ଜିଲ୍ଲାରେ ବାଲ୍ୟବିବାହ ପ୍ରତିଷେଧ ଓ ଶିଶୁ ସୁରକ୍ଷା ସଚେତନତା ଅଭିଯାନ ଏକ ସଜୀବ ଆନ୍ଦୋଳନର ରୂପ ନେଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ର, ନୂଆପଡ଼ାଙ୍କ ଆନୁକୂଲ୍ୟରେ ଆଜି ଜିଲ୍ଲାର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଚାଲୁଥିବା ୧୦୦ ଦିନର ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଓ ଛାତ୍ରୀମାନେ ଅଂଶଗ୍ରହଣ କରି ବାଲ୍ୟ ବିବାହ ନିଷେଧ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ପିଏମଶ୍ରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ବାଲ୍ୟ ବିବାହକୁ କିପରି ଭାବରେ ସରକାରୀ ଓ ସାମାଜିକ ଭାବରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ ସେ ବିଷୟରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ଶିଶୁ ସ୍ୱପ୍ନ ସୁରକ୍ଷାରେ ନୂଆପଡ଼ା ଜିଲ୍ଲାର ସଂକଳ୍ପ ୧୦୮୧ଟି ସ୍କୁଲରେ ବାଲ୍ୟବିବାହ ବିରୋଧରେ ସଚେତନତା ସୃଷ୍ଟି ହୋଇଛି।
ଶିଶୁମାନଙ୍କ ହସ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ନୂଆପଡ଼ା ଜିଲ୍ଲା ଆଉ ଗୋଟିଏ ଗଭୀର ଓ ସଂବେଦନଶୀଳ ପଦକ୍ଷେପ ନେଇଛି। ଏହି ଅଭିଯାନ ଜିଲ୍ଲାର ସମସ୍ତ ବ୍ଲକରେ ଅବସ୍ଥିତ ୧୦୮୧ଟି ସ୍କୁଲରେ ଗୋଟିଏ ଦିନରେ ସଫଳତାର ସହିତ କାର୍ଯ୍ୟକାରୀ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ମନରେ ସଚେତନତାର ଦୀପ ଜଳାଇଛି। ବିଦ୍ୟାଳୟ ପରିସର ଏଦିନ କେବଳ ପାଠ ପଢ଼ାର ସ୍ଥାନ ନୁହେଁ ବରଂ ଶିଶୁ ଅଧିକାର ଓ ସମ୍ବେଦନତାର ଏକ ସଂଯୁକ୍ତ କ୍ଷେତ୍ରରେ ପରିଣତ ହୋଇଥିଲା।
କାର୍ଯ୍ୟକ୍ରମ ସମୟରେ ବାଲ୍ୟବିବାହ କିପରି ଏକ ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱପ୍ନ ଓ ଆତ୍ମ ମର୍ଯ୍ୟାଦାକୁ ଅକାଳରେ ଅପହୃତ କରେ, ତାହା ମନକୁ ଛୁଇଁଯିବା ଭଳି ଉଦାହରଣ ଓ ସରଳ ଭାଷାରେ ବ୍ୟାଖ୍ୟା କରାଯାଇଥିଲା। ଆଇନ ଓ ଶିଶୁ ଅଧିକାର ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକୁ ଆଇନ୍ର ଭୟ ନୁହେଁ, ବରଂ ସୁରକ୍ଷାର କବଚ ଭାବରେ ଛାତ୍ରଛାତ୍ରୀମାନଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଥିଲା। ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଇଲ୍ଡ ହେଲ୍ପଲାଇନ ସମ୍ବନ୍ଧରେ ସୂଚନା ଦେଇ ଶିଶୁମାନଙ୍କୁ ନିର୍ଭୟ ହୋଇ ଦରକାରବେଳେ ସାହାଯ୍ୟ ମାଗିବାକୁ ଉତ୍ସାହିତ କରାଯାଇଥିଲା। ଶିଶୁମାନଙ୍କ ମନରେ ଏହି ବିଶ୍ୱାସ ଦିଆଗଲା ଯେ ସେମାନେ ଏକା ନୁହନ୍ତି ସମାଜ ଓ ପ୍ରଶାସନ ମଧ୍ୟ ସେମାନଙ୍କ ସହ ଅଛି। ଶେଷରେ ଛାତ୍ରଛାତ୍ରୀମାନେ ବାଲ୍ୟବିବାହ ବିରୋଧରେ ସଚେତନ ରହିବା, ଏହାକୁ ରୋକିବା ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ସାମୁହିକ ଶପଥ ନେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ