
ଚମ୍ପୁଆ, ୦୬ ଜାନୁଆରି (ହି.ସ.) - ଚଳିତ ଖରିପ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଚଳିତମାସ ଠାରୁ ମାର୍ଚ୍ଚ ମାସ ଯାଏଁ ଦିନ ଧାର୍ଯ୍ୟ କରାଯାଇଛି । ସେହି ହିସାବରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଟୋକନ ପ୍ରାୟ ଆସିଯାଇଛି । ମଣ୍ଡିଗୁଡିକରେ ଧାନ ବିକ୍ରି କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ଲ୍ୟାମ୍ପସ ମାନଙ୍କରେ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଚମ୍ପୁଆ ଉପଖଣ୍ଡର ୩ ଗୋଟି ବ୍ଲକ ଯଥା ଚମ୍ପୁଆ, ଝୁମ୍ପୁରା, ଯୋଡା ବ୍ଲକର ମୋଟ ପ୍ରାୟ ୧୭ ଗୋଟି ସ୍ଥାନରେ ଧାନ କ୍ରୟ କରାଯିବାର ନିଷ୍ପତି ନିଆଯାଇଛି । ଚମ୍ପୁଆ ବ୍ଲକର ଚମ୍ପୁଆ ଲ୍ୟାମ୍ପସର ରଜିଆ, ରିମୁଳି ଲ୍ୟାମ୍ପସ, ଜାମୁଦଲକ ଲ୍ୟାମ୍ପସ, କରଞ୍ଜିଆ ଲ୍ୟାମ୍ପସ, ଭୁଇଁପୁର ଲ୍ୟାମ୍ପସ ସହିତ ଫୁଲକଅଁଳେଇ ଏବଂ ଜ୍ୟୋତିପୁର ଆଦି ସ୍ଥାନରେ ଧାନ କ୍ରୟ କରାଯିବାର ଯୋଜନା ରହିଛି । ଯୋଡା ବ୍ଲକର କଣ୍ଡରା ଠାରେ ଧାନ କ୍ରୟ କରାଯିବାର ବ୍ୟବସ୍ଥା କରାଯାଇଛି । ଝୁମ୍ପୁରା ବ୍ଲକର ବାଲିବନ୍ଧ, ଅସନପାଟ, ଝୁମ୍ପୁରା, ଚଉଠିଆ, ଉଖୁଣ୍ଡା ଆଦି ସ୍ଥାନରେ ଧାନ କ୍ରୟ କରାଯିବାର ଯୋଜନା ସହିତ ବିଭିନ୍ନ ପଦାଧିକାରୀଙ୍କର ନାମ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଆଗାମୀ ଦିନରେ ଚାଷୀ ଯେପରି ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଚମ୍ପୁଆ ଚାଷୀ ଦୃଢ ଦାବୀ କରିଛନ୍ତି । ମାତ୍ର ବିଭିନ୍ନ ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳୁଛି । ଧାନ ଲୋଡିଂବେଳେ ଶ୍ରମିକ ଖର୍ଚ୍ଚ ଓ ଅଖା ବସ୍ତା ବାବଦ ଟଙ୍କା ଚାଷୀଙ୍କୁ ମିଳୁନଥିବା ଅଭିଯୋଗ ହେଉଛି । ଯାହାଫଳରେ ଚାଷୀ ଲୁଟର ଶିକାର ହେଉଥିବା ଦେଖିବାକୁ ମିଳିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଟଙ୍କା ଅତି ଚତୁରତାର ସହ ଚଳୁ କରାଯାଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଧାନ ବିକ୍ରୀ ବେଳେ ଶ୍ରମିକ ଖର୍ଚ୍ଚ ସହିତ ଅଖା ବସ୍ତା ଟଙ୍କା ଚାଷୀଙ୍କୁ ଦିଆନଯାଇ ଚଳୁକରୁଥିବା କଥା ସାମ୍ନାକୁ ଆସିଛି । ଏଭଳି ଘଟଣା ଚମ୍ପୁଆ ବ୍ଲକର ଭଣ୍ଡା ଲ୍ୟାମ୍ପରେ ଦେଖିବାକୁ ମିଳିଛି । ଚାଷୀଙ୍କୁ ଅନ୍ଧାରରେ ରଖି ମଣ୍ଡି କର୍ତୃପକ୍ଷ ଚାଷୀଙ୍କ ଟଙ୍କାକୁ ଚଳୁ କରୁଥିବା ବେଳେ ଏହାର ତଦନ୍ତ ଦାବୀ କରିଛନ୍ତି ଚାଷୀ । ମଣ୍ଡିରେ ଚାଷୀଙ୍କୁ ଧାନ ବସ୍ତା ଓହ୍ଲା ଉଠା ବାବଦରେ ଶ୍ରମିକ ଖର୍ଚ୍ଚ ସରକାର କୁଇଂଟାଲ ପିଛା ୧୩.୧୪ ପଇସା ଯୋଗାଇ ଦେଉଥିବା ବେଳେ ଧାନ ବସ୍ତା ପାଇଁ ଅଲଗା ଟଙ୍କା ଯୋଗାଇ ଦିଆଯିବା ନିୟମ ରହିଛି । ମାତ୍ର ଭଣ୍ଡା ଲ୍ୟାମ୍ପସରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta