ସ୍କୁଟିକୁ ଧକ୍କାଦେଲା ବସ୍ : ମହିଳା ସାମ୍ବାଦିକାଙ୍କ ସମେତ ଦୁଇ ମୃତ
ପୁରୀ/ପିପିଲି, ୬ ଜାନୁଆରୀ (ହି.ସ.)- ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ନିକଟ ଜମାଲପୁର ଛକରେ ଆଜି ପୂର୍ବାହ୍ନରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକାଙ୍କ ସମେତ ଅନ୍ୟ ଜଣକର ମୃତ୍ୟୁ ଘଟିଛି । ବସ୍ ଚକା ତଳେ ଚାପି ହୋଇ ଦୁଇ ଜଣଙ୍କ ମ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା


ପୁରୀ/ପିପିଲି, ୬ ଜାନୁଆରୀ (ହି.ସ.)- ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ନିକଟ ଜମାଲପୁର ଛକରେ ଆଜି ପୂର୍ବାହ୍ନରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକାଙ୍କ ସମେତ ଅନ୍ୟ ଜଣକର ମୃତ୍ୟୁ ଘଟିଛି । ବସ୍ ଚକା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ୩୧୬ ନମ୍ବର ଜାତୀୟ ରାଜପଥର ପିପିଲି ମଙ୍ଗଳପୁର ନିକଟ ଜମାଲପୁର ଛକରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ମୃତ ମହିଳା ସାମ୍ବାଦିକାଙ୍କ ନାମ ଶୀଲା ପଟ୍ଟନାୟକ । ଶୀଲା ତାଙ୍କର ଜଣେ ମହିଳା ସାଙ୍ଗଙ୍କ ସହିତ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳପୁର ନିକଟ ଜମାଲପୁର ଛକରେ ବସ୍ ଟି ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁହେଁ ତଳେ ପଡି ଯାଇଥିବା ବେଳେ ବସ୍ ଚକା ସେମାନଙ୍କ ଉପରେ ମାଡି ଯାଇଥିଲା । ଘଟଣାରେ ସେ ଓ ତାଙ୍କ ସାଙ୍ଗ ଗୁରୁତର ହୋଇଥିଲେ । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଗୁରୁତରଙ୍କୁ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ବସ୍ କୁ ଜବତ କରିବା ସହିତ ଚାଳକ ଥାନାରେ ଅଟକ ଥିବା ସୂଚନା ଦେଇଛନ୍ତି ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ । ପୋଲିସ ଶୀଲାଙ୍କୁ ତାଙ୍କ ପ୍ରେସ୍ ଆଇଡି କାର୍ଡରୁ ଚିହ୍ନଟ କରିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande