
କେନ୍ଦ୍ରାପଡ଼ା, ୦୬ ଜାନୁଆରୀ(ହି.ସ.) – ରାଜ୍ୟ-ବ୍ୟାପି ପାଣି ପଂଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର୍. ଆୟର ଆଜି ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ଶୁଭ ଉଦ୍ଘାଟନ କରିଛନ୍ତି। ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପ୍ରମୁଖ ସେଚ ଅଂଚଳ ମାର୍ଗ ଦେଇ ପାଣି ପଂଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତା ବଂଟନ କରିବ। ପାଣି ପଂଚାୟତ-ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ’ ସ୍ଲୋଗାନର ବାର୍ତା ଜନସାଧାରଣଙ୍କ ମଧ୍ୟରେ ବାଂଟିବ। ମହିଳାମାନଙ୍କର ପାଣି ପଂଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଂଚାଇବ। ପାଣି ପଂଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ପାଣି ପଂଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଂଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି