
*ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା, ଆରମ୍ଭ ହେବା ଦିବ୍ୟାଙ୍ଗ ମିତ୍ର ପୁରସ୍କାର - ଜିଲ୍ଲାପାଳ*
ନୂଆପଡ଼ା, ୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେବ ଦିବ୍ୟାଙ୍ଗ ମିତ୍ର ପୁରସ୍କାର। ପ୍ରତି ମାସରେ ଦିବ୍ୟାଙ୍ଗ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବେ। ଆସନ୍ତା ମାସରୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଘୋଷଣା କରିଛନ୍ତି। ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରି ସେ ଏହା କହିଛନ୍ତି। ଉପ ଜିଲ୍ଲାପାଳ ସୂର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଚୟନ କମିଟି ଗଠନ କରାଯିବ । ସଦର ତହସିଲଦାର, ବିଡ଼ିଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏହି ଚୟନ କମିଟିର ସଦସ୍ୟ ରହିବେ । ପ୍ରତିମାସ ଏହି ଚୟନ କମିଟି ଜିଲ୍ଲାରୁ ଦିବ୍ୟାଙ୍ଗଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିବା ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ବାଛିବେ। ଜିଲ୍ଲାପାଳ ସେହି ବ୍ୟକ୍ତିଙ୍କୁ ପୁରସ୍କୃତ କରିବେ। ଏହି ସଭାରେ ଜାତୀୟ ପରିବାର ସହାୟତା ଯୋଜନା, ବିବାହ ସହାୟତା, ବାର୍ଦ୍ଧକ୍ୟ ଭତ୍ତା, ବାଣୀଶ୍ରୀ ସ୍କଲାର୍ଶିପ ଆଦି ଯୋଜନାର ସମୀକ୍ଷା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ଧନେଶ୍ଵର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ ଏଵଂ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ