

ଭୁବନ, ୬ ଜାନୁଆରୀ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ପିଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଇଁ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସବୁ ପିଲା ପାଠ ପଢି ଆଇଏଏସ, ଓଏଏସ , ଡାକ୍ତର, ଇଂଜିନିୟର ହେବେ ବୋଲି ଆଶା କରିବା ଠିକ୍ ନୁହେଁ । ଅଭିଭାବକ ମାନେ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କ ରୁଚିକୁ ଗୁରୁତ୍ଵ ଦେବା ଉଚିତ୍। ଏହାଦ୍ବାରା ପିଲା ନିଜ ରୁଚି ଅନୁଯାୟୀ ସଫଳତା ହାସଲ କରିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାଦାନ ସହିତ ପିଲାଙ୍କୁ ଆଦର୍ଶ ମଣିଷ ଭାବେ ଗଢି ତୋଳିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିଥିଲେ । ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ଖେଳାଳୀ ସୃଷ୍ଟି କରିପାରିଛି ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ ରସିଦ ଖାଁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅର୍ଥନିତିଜ୍ଞ ଶ୍ରୀଯୁକ୍ତ ରମଣ ଅଗ୍ରୱାଲ, ବିଶିଷ୍ଟ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଦାର କୁମାର ଦାସ ଯୋଗଦେଇଥିଲେ । ବିଦ୍ୟାଳୟ ଜମିକୁ ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ବିଜ୍ଞାନ ପାର୍କ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ମୁଖପତ୍ର ଭାରତୀ ଉନ୍ମୋଚନ କରାଯାଇଥିଲା।
ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ୍ୱର ସାହୁ ସ୍ବାଗତ ଭାଷଣ, ଆଲୁମିନି କମିଟି ସଭାପତି ଇଂ. ଦେବେନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସାଗର ଦାସ ମଞ୍ଚ ପରିଚାଳନା ଓ ବରିଷ୍ଠ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ତଥା ପୁରାତନ ଛାତ୍ର ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ