ବାଷ୍ପୀତ୍ର ସୁରକ୍ଷା ଓ ସ୍ଥାପନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସମ୍ପନ୍ନ
- ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଓ ରକ୍ଷାଣାବେକ୍ଷଣରେ ସୁରକ୍ଷା ଅପରିହାର୍ଯ୍ୟ: ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଭୁବନେଶ୍ୱର, , ୭ ଜାନୁଆରୀ (ହି.ସ.) ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଏବଂ ଦୁର୍ଘଟଣାମୁକ୍ତ କାର୍ଯ୍ୟସ୍ଥଳୀ ଗଠନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ର
ବାଷ୍ପୀତ୍ର ସୁରକ୍ଷା ଓ ସ୍ଥାପନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସମ୍ପନ୍ନ


- ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଓ ରକ୍ଷାଣାବେକ୍ଷଣରେ ସୁରକ୍ଷା ଅପରିହାର୍ଯ୍ୟ: ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ

ଭୁବନେଶ୍ୱର, , ୭ ଜାନୁଆରୀ (ହି.ସ.) ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଏବଂ ଦୁର୍ଘଟଣାମୁକ୍ତ କାର୍ଯ୍ୟସ୍ଥଳୀ ଗଠନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଏବଂ ରକ୍ଷାଣାବେକ୍ଷଣରେ ଆବଶ୍ୟକୀୟ ସୁରକ୍ଷା” ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ବାଷ୍ପୀତ୍ର ଯନ୍ତ୍ରର ସଠିକ୍ ସ୍ଥାପନ ଓ ନିୟମିତ ରକ୍ଷାଣାବେକ୍ଷଣ ସମୟରେ ସୁରକ୍ଷା ନିୟମାବଳୀର କଠୋର ଅନୁସରଣ ଏକାନ୍ତ ଆବଶ୍ୟକ। ନିୟମିତ ପ୍ରଶିକ୍ଷଣ ଓ ସଚେତନତା ମାଧ୍ୟମରେ ହିଁ ଅନାବଶ୍ୟକ ଧନଜୀବନ ହାନିକୁ ରୋକାଯାଇପାରିବ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଡଃ ମଳୟ କୁମାର ପ୍ରଧାନ ଉଚ୍ଚ ସ୍ଥାନରେ ୱେଲ୍ଡିଂ କାର୍ଯ୍ୟ ସମୟରେ ଅବଲମ୍ବନ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାର ବିଶେଷଜ୍ଞମାନେ ପ୍ରଶିକ୍ଷକ ଭାବେ ଯୋଗଦେଇ ବୈଷୟିକ ଜ୍ଞାନକୌଶଳ ବାଣ୍ଟିଥିଲେ। ଏଥିରେ କଟକ ଡିଭିଜନର କାରଖାନା ଏବଂ ବାଷ୍ପୀତ୍ର ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ଏଏମ୍ଏନ୍‌ଏସ୍ ଇଣ୍ଡିଆ ଲିମିଟେଡର ପୂର୍ବତନ ସାଧାରଣ ପ୍ରବନ୍ଧକ ଶ୍ରୀ ସରୋଜ ପଟ୍ଟନାୟକ, ଆଦିତ୍ୟା ଏଲୁମିନିଅମର ଉପ ସାଧାରଣ ପ୍ରବନ୍ଧକ, ମେକାନିକାଲ୍, ଶ୍ରୀ ଲଗ୍ନଜିତ ଜେନା ଏବଂ ଆଇଓସିଏଲ୍ ପାରାଦୀପ ରିଫାଇନେରୀର ନିରୀକ୍ଷକ ପ୍ରବନ୍ଧକ ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଓ ରକ୍ଷାଣାବେକ୍ଷଣ ସମୟରେ ଅବଲମ୍ବନ କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଦିଗ ଉପରେ ଗଭୀର ଆଲୋଚନା କରିଥିଲେ।

ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ କାରଖାନାରୁ ୩୨ ଜଣ ଅଧିକାରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସଫଳତା ପୂର୍ବକ ତାଲିମ ସମାପ୍ତ କରିଥିବାରୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଏହି ପ୍ରଶିକ୍ଷଣ ଦ୍ୱାରା ଆଗାମୀ ଦିନରେ ଶିଳ୍ପ ସଂସ୍ଥାଗୁଡ଼ିକରେ ବାଷ୍ପୀତ୍ର ଜନିତ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, , ୭ ଜାନୁଆରୀ (ହି.ସ.) ଓଡ଼ିଶାର ଶିଳ୍ପ ସମୃଦ୍ଧ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଛନ୍ତି ।

ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଅର୍ଥନୀତିର ପେଣ୍ଠସ୍ଥଳ । ଏହି ନୂତନ ଜାତୀୟ ରାଜପଥ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ଜାତୀୟ ରାଜପଥ ସମ୍ବଲପୁର ଓ ଝାରସୁଗୁଡ଼ାକୁ ସଂଯୋଗ କରିବା ସହ ଓଡ଼ିଶାର ଶିଳ୍ପ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ଏହା କେବଳ ପରିବହନ ନୁହେଁ, ବରଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପୂର୍ବୋଦୟ' ପରିକଳ୍ପନାରେ ଓଡ଼ିଶାର ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହି ବୈକଳ୍ପିକ ରାଜପଥ ନିର୍ମାଣ ହେଲେ ଏହା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande