
କେନ୍ଦୁଝର, ୦୭ ଜାନୁଆରୀ(ହି.ସ.) – ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ, କାରଣ ଆଜିର ବିଦ୍ୟାର୍ଥୀ ମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା।
ବିଦ୍ୟାର୍ଥୀ ମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ରାଜ୍ୟ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ କେନ୍ଦୁଝର ଜିଲ୍ଲାର ୧୦ ଗୋଟି ଆଦର୍ଶ ବିଦ୍ୟାଳୟକୁ ମିଶାଇ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଗୁମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କେନ୍ଦୁଝର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂହ କେନ୍ଦୁଝର ଜିଲ୍ଲା ପାଇଁ ଭିତିପ୍ରସ୍ତର ଦିଆଯାଇଥିବା ୧୦ ଗୋଟି ବିଦ୍ୟାଳୟ ନିମନ୍ତେ ସମଗ୍ର ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହିସବୁ ଉନ୍ନତ ଭିତିଭୂମି, ଶୈକ୍ଷିକ ବାତାବରଣପୂର୍ଣ୍ଣ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମୁଳଦୂଆ ସୁଦୃଢ କରି ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ ସହାୟକ ହେବ ବୋଲି କହିଥିଲେ।
ଆଜି ଭିତିପ୍ରସ୍ତର ପ୍ରଦାନ କରାଯାଇଥିବା ବିଦ୍ୟାଳୟ ଗୁଡିକ ହେଲା ଚମ୍ପୁଆର ଜ୍ୟୋତିପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘଷିପୁରାର ମଦନପୁର ଓ ପଣ୍ଡୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରିଚନ୍ଦନପୁରର ଜଂଘିରା ପଂଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଟଡ଼ିହିର ବାଙ୍ଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝୁମ୍ପୁରାର ଗୁମୁରା ଓ ସରକାରୀ ଉଚ୍ଚ ବିଦ୍ୟାଳୟ,ଝୁମ୍ପୁରା, ତେଲକୋଇର ଆକୁଳ ଓ ଛମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କେନ୍ଦୁଝରର ପିଏମଶ୍ରୀ ଗ୍ରାମପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇକଳା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନୟନ ଅଧିକାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।
ସୂଚନାଯୋଗ୍ୟ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଆସନ୍ତା ୪ ବର୍ଷରେ ରାଜ୍ୟର ଗ୍ରାମପଞ୍ଚାୟତ ଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।
ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷା ଭିତିଭୂମି ସୁଦୃଢ ହେବ। ଚଳିତ ବର୍ଷ ବଜେଟରେ ଏହାର କାର୍ଯ୍ୟକାରିତା ପାଇଁ ୩ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷା ଦିଆଯିବ। ଏହାଦ୍ୱାରା ଶିକ୍ଷାର ବାତାବରଣ ସୁଦୃଢ ହେବା ସହିତ ପିଲାମାନେ ସର୍ବୋତମ ଏବଂ ଗୁଣାତ୍ମକ ମାନର ଶିକ୍ଷା ପାଇପାରିବେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA