
ନୂଆପଡ଼ା, ୦୭ ଜାନୁଆରୀ(ହି.ସ.) – ନୂଆପଡ଼ାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ନିମିତ କାର୍ଯ୍ୟ ଖସଡ଼ା ପ୍ରସୂତି ପାଇଁ ଏକ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ବନଖଣ୍ଡ ଅଧିକାରୀ ଟେରିଟୋରିଆଲ, ଅଜିଜ ଖାନ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଏକଶନ ପ୍ଳାନ- ୨୦୨୬ ଉପରେ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଜଙ୍ଗଲ ନିଆଁ ପ୍ରତିରୋଧ କ୍ଷେତ୍ରରେ ସାଧାରଣ ଜନତାଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନତାଙ୍କ ସଚେତନତା ହିଁ ମୁଖ୍ୟ ଅସ୍ତ୍ର। ଯଦି ସାଧାରଣ ଜନତା ସଚେତନ ନହୁଅନ୍ତି, ତେବେ କିଛି ବି ପରିବର୍ତନ ହେବନାହିଁ। ଜିଲ୍ଲାପାଳ ସମସ୍ତ ବିଭାଗକୁ ନିଆଁ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଫେବୃଆରୀ ମାସରୁ ଡିଏଫଓ(ବନ୍ୟପ୍ରାଣୀ) ଓ ଡିଏଫ୍ଓ (ଟେରିଟୋରିଆଲ)ଙ୍କ ନେତୃତ୍ୱରେ ଗଠିତ କମିଟି ପ୍ରତି ମାସରେ ଜଙ୍ଗଲ ଅଗ୍ନି ପ୍ରତିରୋଧ, ଅବାଧ ଶିକାର ଓ ଅନ୍ୟାନ୍ୟ ଅବୈଧ ବନ୍ୟପ୍ରାଣୀ କାର୍ଯ୍ୟକଳାପକୁ ରୋକିବାକୁ ସହାୟତା କରୁଥିବା ଜଣେ ବ୍ୟକ୍ତିଙ୍କୁ ‘ବନମିତ୍ର’ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯିବ।
ଏହି ଅବସରରେ ଡିଏଫଓ(ବନ୍ୟପ୍ରାଣୀ) ସମୀର କୁମାର ସାହୁ ଓଡ଼ିଶା ଜଙ୍ଗଲ ପରିଚାଳନା ପ୍ରଣାଳୀ ଓ ଜଙ୍ଗଲ ଅଗ୍ନି ପ୍ରତିରୋଧ ପାଇଁ ଗୃହୀତ ପଦକ୍ଷେପ ସମୂହ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀଖାନ୍ ଜଙ୍ଗଲ ଅଗ୍ନି ପ୍ରତିରୋଧରେ ସମସ୍ତ ବିଭାଗର ସକ୍ରିୟ ଭୂମିକା ଓ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ। ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ ଓ ଅନ୍ୟାନ୍ୟ ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ