
ନୂଆପଡ଼ା, ୭ ଜାନୁଆରୀ (ହି.ସ.)- ନୂଆପଡ଼ାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ପୋଲିସ ପଡିଆ ଠାରେ ଆଜି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ପ୍ରସନ୍ନ ପାଢ଼ୀ, ସାଂସଦ ପ୍ରତିନିଧି ଡ଼. ସୁଖେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଶାରଦା ପ୍ରସାଦ ସିଂ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅନୁସୂୟା କୁମ୍ଭାର, ଅବସର ପ୍ରାପ୍ତ ଯୁଗ୍ମ ସଚିବ ଡ. ବାସୁଦେବ ସୁନାନି, ଜିଲ୍ଲା ପରିଷଦ ସଦସ୍ୟ ଭରତ ଲାଲ ରାଉତ, ନୂଆପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼. ଲବ ସୋରେନ, ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଗୋ ପୂଜନ ସହ ମେଳାର ଶୁଭାରମ୍ଭ କରିଥିଲେ। ଏହି ମେଳାର ଲକ୍ଷ ଥିଲା ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ସହ ରାଜ୍ୟର ଚାଷୀଙ୍କ ସମୃଦ୍ଧି। ମେଳାରେ ବିଭିନ୍ନ ବିଭାଗର ମୋଟ ୧୯ ଗୋଟି ଷ୍ଟଲ ଲାଗିଛି । ଡ. ରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତରୀୟ ସହ ସମ୍ବର୍ଦ୍ଧନା କରି ସ୍ୱାଗତ ସମ୍ଭାଷଣ ଦେଇଥିଲେ। ନେସନାଲ ବାଳିକା ହାଇସ୍କୁଲର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷିତ ହୋଇଥିଲା। ଉପସ୍ଥିତ ଅତିଥି ବୃନ୍ଦ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ବୁଲିବା ସହ ମେଳାରେ ଭାଗ ନେଇ ଥିବା ମତ୍ସ୍ୟ ଚାଷୀ , ଗୋପାଳକ, ଛେଳି ମେଣ୍ଢା ପାଳକ, କୁକୁଡ଼ା ଚାଷୀ ଏବଂ ସ୍ୱଂୟ ସହାୟିକା ଗୋଷ୍ଠୀର ସମସ୍ତ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ମହିଳା ସଶକ୍ତିକରଣ, ଦାଦନ ସମସ୍ୟାର ନିରାକରଣ ଏବଂ ସର୍ବୋପରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ୱାନ କରିଥିଲେ। ବୈଜ୍ଞାନିକ ପଦ୍ଧତି ଆପଣେଇ ମାଛ ଚାଷ, ପଶୁପାଳନ, ହାଇଡ୍ରୋପୋନିକ ପଦ୍ଧତିରେ ଘାସ ଚାଷ, ନିୟମିତ ଟୀକାକରଣ ଇତ୍ୟାଦି ମାଧ୍ୟମରେ ଚାଷରୁ ହେଉଥିବା ଲାଭକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସରକାରୀ ଯୋଜନା ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଚାଷୀ ମାନେ ପଶୁ ତଥା ଗୋସଂପଦର ବିକାଶ ଦିଗରେ ଅଗ୍ରସର ହୋଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଗୋମାତା ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣୀ ସମୃଦ୍ଧି ଯୋଜନା ଲାଭ ଉଠାନ୍ତୁ ବୋଲି ମତ ଆସିଥିଲା । ପ୍ରାଣୀ ପାଳନ ମାଧ୍ୟମରେ ଦାଦନ ସମସ୍ୟାର ନିରାକରଣ ହୋଇ ପାରିବ ବୋଲି କହିଥିଲେ। ନିଜର ଅଭିଭାଷଣରେ ଜିଲ୍ଲାପାଳ କୃଷକର ଉନ୍ନତି ପାଇଁ ପ୍ରାଣୀସମ୍ପଦ ବିଭାଗର ସହଯୋଗ ବହୁ ମହତ୍ୱ ରହିଛି ବୋଲି କହିଥିଲେ । ଗୋପାଳନ ଓ ପଶୁସମ୍ପଦର ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ପ୍ରାଣୀ ପାଇଁ ଦିନଟିଏ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରାଣୀ ସଂପଦ ବିକାଶ ବିଭାଗକୁ ଅଭିନନ୍ଦନ ଜଣାଇ ଥିଲେ । ଜିଲ୍ଲାରେ ଚାଷ କରି କୋଟିପତି ହୋଇଥିବା କୃଷକ ମାନେ ଜିଲ୍ଲାର ଗର୍ବ , ଗୌରବ ଓ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବୋଲି ଜିଲ୍ଲାପାଳ କହିଥିଲେ । ନିଜ ନିଜ ଅଭିଭାଷଣରେ ଉପସ୍ଥିତ ଅତିଥି ବୃନ୍ଦ ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ଆୟ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ପ୍ରାଣୀ ସମ୍ପଦ ଉତ୍ପାଦନ ଓ ପରିଚାଳନା ପାଇଁ ସମାଜ ରେ ଚାଷୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଦେବକୀ ସାଙ୍କୁ ଗୋପାଳନ ପାଇଁ, ଜୟ ମା ସନ୍ତୋଷି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମତ୍ସ୍ୟ ଚାଷ ପାଇଁ , ଭୂମିସୂତା ଖର୍ସେଲଙ୍କୁ ଜୈବ ପୁଞ୍ଜି ମାଧ୍ୟମରେ ମାଛ ଚାଷ ପାଇଁ ସମ୍ମାନିତ କରାଯାଇଥିଲା ବୈଜ୍ଞାନିକ – ଚାଷୀ ଆଲୋଚନା ଚକ୍ରରେ ଡ. ଲବ ସୋରେନ, ଡ. ବାସୁଦେବ ସୁନାନୀ , ଡ. ଶାରଦା ପ୍ରସାଦ ସିଂ ବରିହା , ବିଜନ କୁମାର ସାହୁ, ଡ଼. ସୁଚିଶ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ୫୦୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ଓ ଚାଷୀ ମାନଙ୍କ ସମସ୍ୟାର ସମାଧାନ କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ପ୍ରାଣୀ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର , ପର୍ଯ୍ୟଟନ ବିଭାଗ , ପୋଲିସ, ଅଗ୍ନିଶମ ବିଭାଗ, ଓମଫେଡ, ହସ୍ତତନ୍ତ ବିଭାଗ , ମିଶନ ଶକ୍ତି, ଗୃହ ଉଦ୍ୟୋଗ , ଜିଲ୍ଲା ଶିଳ୍ପ କେନ୍ଦ୍ର ଅଂଶ ଗ୍ରହଣ କରିଥିଲେ । ମେଳାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଘାସ ଚାଷ , ହାଇଡ୍ରୋପୋନିକ୍ସ ପଦ୍ଧତି, ଆଜୋଲା ଉତ୍ପାଦନ, ଗିର ଗାଈ, ସାହିୱାଲ ଗାଈ , ଶଙ୍କର ଜାତୀୟ ହୋଲଷ୍ଟିନ ଗାଈ, କୃତ୍ରିମ ପ୍ରଜନନ ପଦ୍ଧତିରେ ଜନ୍ମିତ ବ୍ଲାକ ବେଙ୍ଗଲ ଛେଳି, ଗଞ୍ଜାମ ଛେଳି, ଗୁଣ୍ଡୁରି ଚଢ଼େଇ, ଅଣ୍ଡା ଦିଆ କୁକୁଡ଼ା, ହଂସଲି କୁକୁଡ଼ା, ଦେଶୀ ବତକ, ବନରାଜ କୁକୁଡ଼ା , ଠେକୁଆ, ମାଛ ହ୍ୟାଚେରି, ବାୟୋଫ୍ଲକ ଟ୍ୟାଙ୍କ, ନର୍ସରୀ ଟ୍ୟାଙ୍କ, ସମନ୍ୱିତ କୃଷି ଇତ୍ୟାଦି ପ୍ରଦର୍ଶିତ ହୋଇ କୃଷକ ତଥା ଜନ ସାଧାରଣଙ୍କୁ ଆକୃଷ୍ଟ କରୁଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ