




ସମ୍ବଲପୁର, ୦୭, ଜାନୁଆରି (ହି.ସ.) ସ୍ଥାନୀୟ ଅଇଁଠାପାଲି ପିଏଚଡ଼ି ପଡିଆ ଠାରେ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକ ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପାନୀ ସଂଧ୍ୟାରେ ପୋଲିସ ଆଇଜି ହିମାଂଶୁ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରର ସଂସ୍କୃତି ବେଶ ଉନ୍ନତ ଓ ଚଳିତ ବର୍ଷର ମହୋତ୍ସବ ବେଶ ଭଲ ହୋଇଛି ।ତେବେ ସମସ୍ତଙ୍କ ସହଯୋଗ ମିଳିଲେ ଏହି ଅଞ୍ଚଳର ବିକାଶ ହୋଇପାରିବ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ କମିଶନର ତଥା ନୋଡାଲ ଅଧିକାରୀ ରେହାନ କ୍ଷତ୍ରୀ, ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସୱାଲ, ଡିଏଫ୍ଓ ଜାଧବ ସୁଦର୍ଶନ ଗୋପୀନାଥ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଶ୍ୟାମ ମେଟାଲିକ୍ସର ନିର୍ଦେଶକ ଦେବ କୁମାର ତିୱାରୀ ଓ ଜିଲ୍ଲା ମହୋତ୍ସବ ସମିତି ସଂଯୋଜକ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମଞ୍ଚ ଅଭିନୟ ପାଇଁ ଜୋସ୍ନାମୟୀ ମିଶ୍ର, ଲୋକଖାଦ୍ୟ ପାଇଁ ପ୍ରଭୁଲାଲ ଗୁପ୍ତା ଓ ଯୁବ ଉଦୟନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବା ପଦ୍ମିନୀ ଦୋରା ଓ ସୌମ୍ୟଜିତ୍ ସୋମିତ୍ରି ବଡ଼ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଅପରାହ୍ନରେ ଘୁଡ଼କା, ଧୁନକେଲ, କରମା ନୃତ୍ୟ ପରିବେଷଣ ହୋଇଥିଲା। ଏହାପରେ ରତନ ପୂଜାରୀଙ୍କ ପରିଚାଳନାରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜକୁମାର ଜାଲ, ରବିନ୍ଦ୍ର କୁମାର ପଣ୍ଡା, ସାଇସ୍ମିତା ନାୟକ ଓ ପ୍ରିୟଦର୍ଶିନୀ ନାଥ ସୁମଧୁର ସ୍ଵରରେ ବିଭିନ୍ନ ଗୀତ ଗାଇଥିଲେ । ଏହାପରେ ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଟ୍ରାଇବେଲ ଫୋକ୍ ଆର୍ଟ ସମ୍ବଲପୁର ପକ୍ଷରୁ
ଚୁଟକୁଚୁଟା, ମୟୁରଭଞ୍ଜର ଛଉ, ହିମାଚଳ ପ୍ରଦେଶର ସିରମୋର ନାଟି, ଆସାମର ବିହୁ, ବାମରାର
କିଶାନ ଓ ସମ୍ବଲପୁର କଳା ପରିଷଦର ଦେଶୀ କରମା ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ମିଳିତ ନୃତ୍ୟ (ଫ୍ୟୁଜନ୍) ଅନୁଷ୍ଠିତ ହୋଇଥିଲା। ସକାଳେ ଆନ୍ତର୍ଜାତିକ ଚିନ୍ମୟ ମିଶନର ୭୫ବର୍ଷ ପୁର୍ତ୍ତୀ ଅବସରରେ ଚିନ୍ମୟ ଅମୃତ ମହୋତ୍ସବ ସମଗ୍ର ପାଳିତ ହେଉଥିଲା ବେଳେ ସମ୍ବଲପୁର ଶାଖା ତରଫରୁ ସମଷ୍ଟି ଗୀତା ଆବୃତ୍ତି' କାଯ୍ୟକ୍ରମ ମହା ସମାରୋହରେ ଆୟୋଜିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ସ୍ଵାଗତ ଭାଷଣ ଓ ମହୋତ୍ସବ ସମିତି ସହ ସଂଯୋଜକ ସତ୍ୟରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ଆସନ୍ତା ୭ ଓ ୮ତାରିଖରେ ୟୁଥ୍ ଫେଷ୍ଟିଭାଲ ଆୟୋଜିତ ହେବ । ଏଥିସହ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଚାଲୁ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ